
- ମାଆଙ୍କ ଚିକିତ୍ସା ପାଇଁ ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଗଲା ୨୦ ହଜାର ଟଙ୍କା
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଇଚ୍ଛାମୃତ୍ୟୁ ମାଗିଥିବା ଯୁବଚାଷୀ ଗୋପାଳ ସାହୁଙ୍କ ମାଆଙ୍କ ଅସୁସ୍ଥତା ଓ ଚିକିତ୍ସା ପାଇଁ ଆର୍ଥିକ ଅଭାବ ପ୍ରତି ବରଗଡ଼ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇଛି । ଗୋପାଳଙ୍କ ଆବେଦନରେ ଉଲ୍ଲେଖ ଥିବା ମାଆଙ୍କ ଅସୁସ୍ଥତାକୁ ଗମ୍ଭୀରତାର ସହ ନେଇ, ପ୍ରଶାସନ ପକ୍ଷରୁ ମାନବିକତା ଦୃଷ୍ଟିକୋଣରୁ ଏବଂ ବୃଦ୍ଧାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଏହି ତତ୍କାଳ ସରକାରୀ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଦ୍ମପୁର ତହସିଲଦାର ମାନସ ରଞ୍ଜନ ପଣ୍ଡା ଆଜି ମେଲଛାମୁଣ୍ଡା ଗ୍ରାମ ସ୍ଥିତ ଗୋପାଳ ସାହୁଙ୍କ ବାସଭବନରେ ପହଞ୍ଚି ଅସୁସ୍ଥ ବୃଦ୍ଧା ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ମାଆଙ୍କ ଜରୁରୀକାଳୀନ ଚିକିତ୍ସା ଏବଂ ଔଷଧ ଖର୍ଚ୍ଚ ତୁଳାଇବା ନିମନ୍ତେ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ତତ୍କାଳ ୨୦,୦୦୦ (କୋଡ଼ିଏ ହଜାର) ଟଙ୍କାର ଆର୍ଥିକ ସହାୟତା ରାଶି ମଞ୍ଜୁର କରାଯାଇଛି । ତହସିଲଦାର ଶ୍ରୀ ପଣ୍ଡା, ପଦ୍ମପୁରର ସହକାରୀ ଯୋଗାଣ ଅଧିକାରୀ ସନ୍ତୋଷ ପ୍ରଧାନ ଉପସ୍ଥିତ ରହି ଗୋପାଳ ସାହୁଙ୍କ ମାଆଙ୍କୁ ସହାୟତା ଚେକ୍ ହସ୍ତାନ୍ତର କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଯେ କୌଣସି ଅଭାବୀ ରୋଗାକ୍ରାନ୍ତ ନାଗରିକଙ୍କୁ ଜୀବନରକ୍ଷାକାରୀ ସହାୟତା ଯୋଗାଇଦେବା ପ୍ରଶାସନର ଦାୟିତ୍ୱ ଏବଂ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ମହିଳାଙ୍କ ଚିକିତ୍ସା ସହାୟତା ନିମନ୍ତେ ହିଁ ଉଦ୍ଦିଷ୍ଟ । ଏଥିସହିତ ପରିବାରର ଧାନ ବିକ୍ରି ସମ୍ବନ୍ଧୀୟ ଅନ୍ୟ କୌଣସି ସମସ୍ୟାର ପ୍ରଶାସନିକ ନିୟମାନୁସାରେ ତୁରନ୍ତ ତଦନ୍ତ କରାଯାଇ ଉପଯୁକ୍ତ ସମାଧାନ କରାଯିବ ।
