jayashree

ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ବିରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ମାଗୁରବେଡା ପଞ୍ଚାୟତର ବ୍ରାହ୍ମଣୀଡୁଙ୍ଗୁରି ଗ୍ରାମରେ ବ୍ୟକ୍ତିଗତ ରୟତି ଜମିରେ କମ୍ୟୁନିଟି କେନ୍ଦ୍ର ନିର୍ମାଣକୁ ଗ୍ରାମବାସୀଙ୍କ ତରଫରୁ ତୀବ୍ର ବିରୋଧ କରାଯାଇଛି । ଅଭିଯୋଗ ମୁତାବକ, “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନାରେ ଗ୍ରାମର ଜନୈକ ବ୍ୟକ୍ତିଙ୍କ ରୟତି ଜମିରେ “ରାମଜୀ କମ୍ୟୁନିଟି କେନ୍ଦ୍ର” ନିର୍ମାଣ କରାଯାଉଛି । ଗ୍ରାମସଭାକୁ ଅଣଦେଖା କରାଯାଇ ଏହି କେନ୍ଦ୍ର ପାଇଁ ଜାଗା ଚିହ୍ନଟ ସମୟରେ ଗ୍ରାମବାସୀଙ୍କ ସହମତି ନିଆଯାଇ ନାହିଁ । ଏପରିକି ସରକାରୀ ଗାଇଡ ଲାଇନକୁ ଉଲଂଘନ କରାଯାଇ ସରକାରୀ ଅଥବା ଗୋଚର ଜମିରେ ଉକ୍ତ ନିର୍ମାଣ କାର୍ଯ୍ୟ କରା ନ ଯାଇ ବ୍ୟକ୍ତିଗତ ଜମିରେ ସରକାରୀ ଅର୍ଥର ଦୁରୁପଯୋଗ କରାଯାଇଛି, ଯାହା ଭବିଷ୍ୟତରେ ମାଲିକାନା ତଥା ଉକ୍ତ କେନ୍ଦ୍ରର ବ୍ୟବହାର ନେଇ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଛି । ଉକ୍ତ ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ବନ୍ଦ କରାଯାଇ ଗ୍ରାମ ସନ୍ନିକଟ ସରକାରୀ ଜମିରେ କରାଯିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଏ ବାବଦରେ ପଚାରିବାରୁ ସେ ବିବାଦୀୟ ଜାଗା ଚିହ୍ନଟ ନେଇ ଜ୍ଞାତ ଥିବା ସହିତ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ । ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୁଙ୍କୁ ପଚାରିବାରେ ଉକ୍ତ ଜମି ଯାହା ନାମରେ ରହିଛି, ସେ ସ୍ଥାନୀୟ ପ୍ରଶାସନକୁ ସେହି ଜମି ଦାନ ସୂତ୍ରରେ ପ୍ରଦାନ କରିବେ । ତହସିଲଦାରଙ୍କ ସହିତ କଥାବାର୍ତ୍ତା ସରିଛି, ଖୁବଶୀଘ୍ର ପଟ୍ଟା ମିଳିଯିବ ବୋଲି ପ୍ରକାଶ କରିଥିଲେ । ତେବେ ବ୍ୟକ୍ତିଗତ ଜମିରେ କମ୍ୟୁନିଟି ଗୃହ ନିର୍ମାଣ ପାଇଁ କିଭଳି ତଥା କାହା ସ୍ୱାର୍ଥରେ ଅନୁମତି ପ୍ରଦାନ କରାଯାଇଛି ! କିଏ ଅନୁମତି ଦେଲେ ! ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହେଉଛି । ଏଥିସହିତ ଗ୍ରାମ ସନ୍ନିକଟ ସରକାରୀ ଜମିରେ ଉକ୍ତ ନିର୍ମାଣ କାର୍ଯ୍ୟ କରା ନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇ ଗଣଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.