
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୫ ଅଞ୍ଚଳରେ ଥିବା ଗୋଲଘର ନିକଟସ୍ଥ ରାମେଶ୍ୱରପଲ୍ଲୀରେ ରହୁଥିବା ତୋଫାନ ବିନ୍ଧାଣିଙ୍କୁ କେହି ଦୁର୍ବୃତ୍ତତ୍ତ ସେକ୍ଟର,-୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପଛପଟେ ଥିବା ଜଙ୍ଗଲରେ ତଂଟି କାଟି ହତ୍ୟା କରିଥିଲେ । ଏ ସମ୍ବନ୍ଧରେ ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିଥିଲେ । ଏହି ଘଟଣା ପରେ ମୃତ ତୋଫାନଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୋଷୀ ମାନଙ୍କୁ ଗିରଫ କରିବା ଦାବିରେ ମୃତକଙ୍କ ପରିବାର ଲୋକେ ଥାନାରେ ଧାରଣା ଦେବା ସହିତ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ବାସଭବନ ସମ୍ମୁଖରେ ଏକାଠି ହୋଇ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ଏହାପରେ ବିଧାୟକ ଦୁର୍ଗା ଚରଣ ତନ୍ତୀ ସ୍ୱୟଂ ମୃତକଙ୍କ ପରିବାର ସଦସ୍ୟ ଓ ବସ୍ତି ବାସିନ୍ଦାଙ୍କ ସହିତ ଗତକାଲି ସେକ୍ଟର ୭ ଥାନାକୁ ଯାଇ ସେଠାକାର ଅଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏହି ଘଟଣା ସମ୍ବନ୍ଧରେ ରାଉରକେଲା ଏସ୍ପି ଏବଂ ପଶ୍ଚିମାଞ୍ଚଳର ଡିଆଇଜିଙ୍କ ସହିତ ମଧ୍ୟ କଥା ହୋଇ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ଏକାଧିକ ଟିମ ଗଠନ କରାଯାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଅପରପଟେ ଆଜି ମୃତ ତୋଫାନଙ୍କ ଭଉଣୀ ଚନ୍ଦ୍ରିକାଙ୍କ ସହିତ ପରିବାରର ଅନ୍ୟ ସଦସ୍ୟ ଓ ବସ୍ତିର କେତେକ ଲୋକ ଆସି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କୁ ତାଙ୍କ ସେକ୍ଟର-୪ ସ୍ଥିତ ବାସଭବନରେ ସାକ୍ଷାତ କରି ମୃତ ତୋଫାନଙ୍କ ଅନ୍ତ୍ୟେଷ୍ଟି ପାଇଁ କିଛି ଆର୍ଥିକ ସାହାଯ୍ୟ ମାଗିବାରୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିଜ ପକେଟରୁ ମୃତ ତୋଫାନଙ୍କ ଭଉଣୀକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବେଦବ୍ୟାସ ଘାଟରେ ଅନ୍ତେଷ୍ଟି କ୍ରିୟା ପାଇଁ ମଧ୍ୟ ନଗଦ ରାଶି ପ୍ରଦାନ କରିଥିଲେ । ଏତଦବ୍ୟତୀତ ଡାକ୍ତରଖାନାରୁ ବେଦବ୍ୟାସ ଘାଟ ପର୍ଯ୍ୟନ୍ତ ମୃତଦେହକୁ ନେବା ପାଇଁ ଶବବାହକ ଗାଡି ମଧ୍ୟ ଯୋଗାଇ ଦେଇଛନ୍ତି । ଏତଦବ୍ୟତୀତ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ମଧ୍ୟ କରିବେ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମୃତକଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ।