jayashree

ମାଲକାନଗିରି ସଦର ଚିକିତ୍ସାଳୟରେ ଉତ୍ତେଜନା, ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ

ମାଲକାନଗିରି : ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଉତ୍ତେଜନା । ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗ ଉଠିଥିବାବେଳେ ଉତ୍ତ୍ୟକ୍ତ ଲୋକେ ଜଣେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ । ସୂଚନା ଅନୁଯାୟୀ, ଗତକାଲି ରାତିରେ ବନ୍ଦନା ଅସୁସ୍ଥ ହୋଇପଡ଼ିବା ପରେ ପରିବାର ଲୋକେ ତାଙ୍କୁ ମାଲକାନଗିରି ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ଘରେ ସାପ ଦେଖିବା ପରେ ସାପ କାମୁଡ଼ିଥିବା ସନ୍ଦେହରେ ତାଙ୍କୁ ଚିକିତ୍ସା ପାଇଁ ଆଣାଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସାପଟିକୁ ମାରି ଚିହ୍ନଟ ପାଇଁ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ରୋଗୀଙ୍କୁ ଯଥାଯଥ ଚିକିତ୍ସା ମିଳିନଥିଲା । ଅଭିଯୋଗ ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବନ୍ଦନାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ହେଲେ ସକାଳେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ବନ୍ଦନାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲେ । ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ନ ହୋଇଥିବା ସତ୍ତ୍ୱେ କାହିଁକି ତାଙ୍କୁ ଘରକୁ ଯିବାକୁ କୁହାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ପରିବାର ସଦସ୍ୟ । ଅନ୍ୟପଟେ, ସମ୍ପୃକ୍ତ ଡାକ୍ତର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ଓ ଔଷଧ ଯୋଗାଇ ଦିଆଯାଇଥିବା ସହ କୌଣସି ପ୍ରକାର ଚିକିତ୍ସା ଅବହେଳା ହୋଇନଥିବା ସେ କହିଛନ୍ତି । ରୋଗୀ ନିଜେ ପରିବାର ଲୋକଙ୍କ ସହ ଚିକିତ୍ସାଳୟ ଛାଡ଼ି ଚାଲିଯାଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏପଟେ ମହିଳାଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.