
ମ.ରାମପୁର : କଳାହାଣ୍ଡି ଜିଲ୍ଲାର ମ.ରାମପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ଦୀର୍ଘ ଦିନ ଧରି କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗକୁ ଧରିବାରେ ପୁଲିସ ସଫଳ ହୋଇଛି । ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୯ଟି ଦାମୀ ବାଇକ ଉଦ୍ଧାର କରାଯାଇଛି । କଳାହାଣ୍ଡି ଏସପି ନାଗରାଜ ଦେବକରାକୋଣ୍ଡାଙ୍କ ନିର୍ଦ୍ଦେଶ ଏବଂ କେସିଙ୍ଗା ଏସ୍ଡିପିଓ ସନ୍ଦୀପ କୁମାର ମାଝୀଙ୍କ ତତ୍ତ୍ୱାବଧାନରେ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡିକା ଓ ଅନ୍ୟାନ୍ୟ ପୁଲିସ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୭ ଜଣ ଅଭିଯୁକ୍ତଙ୍କୁ କାବୁ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଳାଁପାଲିର ଆଶିଷ ମାଝୀ, ରଘୁନାଥ ସାହ ଓ କିଶାନନ ମାଝୀ, ବାଞ୍ଜିପଦରର ସୁଦାମ ସୁନା ଓ ସରଜ ସାହୁ, କୁର୍ଶୁଲାର ଗୁରୁବାରୁ ସାହୁ ଏବଂ ବଲାଙ୍ଗିର ଜିଲ୍ଲା ବଡମାଳ ଗ୍ରାମର ଯୁଧିଷ୍ଠିର ବାଗ ଓରଫ ଚିଣ୍ଟୁ ସାମିଲ ଅଛନ୍ତି । ପୁଲିସ ସେମାନଙ୍କ ନିକଟରୁ ୯ଟି ଚୋରି ବାଇକ ଜବତ କରିଛି । ଏହି ବାଇକଗୁଡ଼ିକର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମ.ରାମପୁର ଥାନାରେ କେସ୍ ନଂ-୧୫୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ମାସ ପୂର୍ବରୁ ମଧ୍ୟ ରିଷିଡା ପୁଲିସ ଏକ ବଡ଼ ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଥିଲା । ଏବେ ପୁଣି ଏହି ସଫଳତା ଅଞ୍ଚଳରେ ବାଇକ ଚୋରି ଘଟଣାକୁ ରୋକିବା ଦିଗରେ ପୁଲିସ ପାଇଁ ଏକ ବଡ଼ ଉପଲବ୍ଧି ବୋଲି ମନେ କରାଯାଉଛି ।