ଦୁମାଥା ଫରିଦ୍‌ପୁର ଠାରେ କୃଷି କ୍ଷେତ୍ର ବିଦ୍ୟାଳୟ ଉଦ୍‌ଘାଟିତ

ଫରିଦ୍‌ପୁର, (ପିଆଇବି) : କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଏସ୍‌ସିଏସ୍‌ପି ଯୋଜନା ତରଫରୁ ଉତରବଂଗ କୃଷି ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଦକ୍ଷିଣ ଦିନାଜ୍‌ପୁର କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ମଧୁର ଜୀବପାଳନ କ୍ଷେତ୍ରରେ କୃଷକମାନଙ୍କ ଉନ୍ନତି ପାଇଁ କୃଷି କ୍ଷେତ୍ର ବିଦ୍ୟାଳୟ ପଶ୍ଚିମବଙ୍ଗ ଦୁମାଥା ଫରିଦ୍‌ପୁର ଠାରେ ଗତ ୧୧ତାରିଖ ଦିନ ଉଦ୍‌ଘାଟିତ ହୋଇଯାଇଛି । ଡଃ ବି. ଏନ୍‌. ପଲ୍‌, ଡଃ ଏସ୍‌. ଏସ୍‌. ଗିରି, ଡଃ ଏସ୍‌. ଅଧିକାରୀ, ଡଃ ଆର୍‌. ଏନ୍‌. ମଣ୍ଡଳ, ଡଃ ଏଚ୍‌. କେ. ଦେ ଓ ଡଃ ସରୋଜ କୁମାର ସ୍ୱାଇଁ ପ୍ରଭୃତି ବୈଜ୍ଞାନିକ ମାନଙ୍କର ଏକ ଟିମ୍‌ କୃଷକ-କୃଷକ ମାନଙ୍କ ମଧ୍ୟରେ ଶିକ୍ଷା ଓ ଜ୍ଞାନ କୌଶଳର ଆଦାନ ପ୍ରଦାନ ମାଛ ଚାଷର ବିକାଶ କରିବା ପାଇଁ ସାରା ଦେଶରେ ଏପରି ଅଭିନବ ପନ୍ଥାକୁ ଅନୁସରଣ କରିଛନ୍ତି । ଏହି କୃଷି କ୍ଷେତ୍ର ବିଦ୍ୟାଳୟ ଦକ୍ଷିଣ ଦିନାଜ୍‌ପୁରର ୨୦ଟି ଗ୍ରାମର ପ୍ରାୟ ୨୫୦୦ କୃଷକଙ୍କୁ ସଶକ୍ତ କରିବା ସହିତ ସେମାନଙ୍କର ଜୀବନ ଜୀବିକାର ଉନ୍ନତିରେ ସହାୟକ ହେବ ବୋଲି ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ମତ ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ଡଃ ସ୍ୱାଇଁ ଉପସ୍ଥିତ କୃଷକ ଓ ମହିଳା କୃଷିଜୀବୀ ମାନଙ୍କୁ ମାଛ ଚାଷ କରି ଅଧିକ ଉପାର୍ଜନ କରିବାକୁ ପରାମର୍ଶ ଦେବା ସହ ଆଗ୍ରହୀ କୃଷକମାନଙ୍କୁ ସିଫା ତରଫରୁ ସମସ୍ତ ବୈଷୟିକ ପରାମର୍ଶ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ସିଫା ପ୍ରୟୋଜିତ ଜଳକୃଷି ବିଦ୍ୟାଳୟର ଜନପ୍ରିୟତା ସମ୍ବନ୍ଧରେ ମଧ୍ୟ ଡଃ ସ୍ୱାଇଁ ପ୍ରକାଶ କରିଥିଲେ । ଦକ୍ଷିଣ ଦିନାଜ୍‌ପୁର ଉପାନ୍ତ ଅଂଚଳର ମତ୍ସ୍ୟ କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ କରିବା ପାଇଁ ସିଫାର ଏପ୍ରକାର ଉଦ୍ୟମକୁ ନିମନ୍ତ୍ରିତ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ ।

ସଂପ୍ରସାରଣ ଓ ପରାମର୍ଶ କୈନ୍ଦ୍ରିକ ଏହି କ୍ଷେତ୍ର ବିଦ୍ୟାଳୟର ଅପରେଟର ଶ୍ରୀ ବିପ୍ଳବ ଚନ୍ଦ୍ର ରାୟ ଏହି ଅବସରରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆଇସିଏଆର୍‌-ସିଫା, ପୋଷଣ ଓ ଶରୀର କ୍ରିୟାତତ୍ୱ ବିଭାଗର ମୁଖ୍ୟ ଡଃ ଏସ୍‌. ଏସ୍‌. ଗିରି ଗ୍ରାମାଂଚଳର ଜୀବିକା ନିର୍ବାହକୁ ଉନ୍ନତ କରିବାକୁ ହେଲେ ମାଛ ଚାଷକୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଆସୋସିଏଟ୍‌ ଡିନ୍‌ ଅଫ୍‌ କଲେଜ ଅଫ୍‌ ଏଗ୍ରିକଲ୍‌ଚର ଡଃ ଜେ. କରୋଫର୍ମା, ଉତରବଂଗ କୃଷି ବିଶ୍ୱବିଦ୍ୟାଳୟର ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ଡଃ ସୈକତ ମୁଖାର୍ଜୀ, ହରେକୃଷ୍ଣ ଫିସ୍‌ ଫାର୍ମର ପରିଚାଳକ ଅମୃତ ଦାସ, ଡଃ ଏସ୍‌. ଅଧିକାରୀ, ଡଃ ଆର୍‌.ଏନ୍‌. ମଣ୍ଡଳ, ଡଃ ଏଚ୍‌. କେ ଡେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । କୋଭିଡ ନିୟମ ଅନୁସରଣ କରାଯାଇ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପ୍ରାୟ ୧୨୦ ଜଣ ମହିଳା କୃଷିଜୀବୀ ଓ କୃଷକ ଯୋଗଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ ବିଶ୍ୱଜିତ୍‌ ଗୋସ୍ୱାମୀ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

Leave A Reply

Your email address will not be published.