jayashree

ରାସ୍ତାରେ ଧୂଳି, ପଙ୍କ ବିରୋଧରେ ନଗର କଂଗ୍ରେସର ପ୍ରତିବାଦ : ମାସ୍କ ବଣ୍ଟନ

  • ଦୁର୍ଘଟଣାକୁ ନେଇ ଏଫ୍‌ଆଇଆର୍‌ ଦାଖଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବଢୁଥିବା ଧୂଳି ପ୍ରଦୂଷଣ ଏବଂ ରାସ୍ତାର ଅବ୍ୟବସ୍ଥା ବିରୋଧରେ ଆଜି ବିକ୍ରମ ଛକ ଠାରେ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରରେ ବିଭିନ୍ନ ବନ୍ଧର ପୁନଃରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ରାସ୍ତାରେ ବହୁ ପରିମାଣର ମାଟି ଓ ଧୂଳି ପଡି ରହିଥିବାରୁ ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ଷା ପାଣି ପଡିବା ପରେ ଏହି ଧୂଳି ଓ ମାଟି କାଦୁଅରେ ପରିଣତ ହୋଇ ରାସ୍ତାକୁ ପିଛିଳା କରିଦେଉଛି । ଆଜି ସ୍ଥାନୀୟ ଗାନ୍ଧୀନଗର ପଡାରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ନଗର କଂଗ୍ରେସ ପକ୍ଷରୁ ଏହି ଘଟଣା ପାଇଁ ଦାୟୀ ଥିବା ଅଭିଯୋଗରେ ବଲାଙ୍ଗିର ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଧ୍ୟକ୍ଷାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରି ତଦନ୍ତ କରିବାକୁ ଦାବି କରାଯାଇଛି । ନଗର କଂଗ୍ରେସ ସଭାପତି ବୁୁଲୁ ଦାନୀ କହିଛନ୍ତି ଯେ, ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ଏହି ଅବ୍ୟବସ୍ଥା ବିରୋଧରେ ଆନ୍ଦୋଳନ ଜାରି ରହିବ । ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ପର୍ଯ୍ୟନ୍ତ ସଂଗଠନ ଚୁପ୍‌ ରହିବ ନାହିଁ । ନଗର କଂଗ୍ରେସ ପକ୍ଷରୁ ଆୟୋଜିତ ଆଜିର ବିକ୍ଷୋଭ ସଭାରେ ହିମାଂଶୁ ନାୟକ, କୈଳାସ ମିଶ୍ର, ସମୀର କୁମ୍ଭାର, ବ୍ରଜ ସେଠି, ଅଙ୍କିତ ସାହୁ, କିଶୋର ଦଣ୍ଡସେନା, ନୀତିଶ ପଧାନ, କିରଣ ସେଠ, ଚିନ୍ମୟ ବେହେରା, ସୋହନ ନାଏକ ପ୍ରଭୃତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.