
ମୁରିବାହାଲ ଗାଁସାଥୀ ସଂଘର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ଓ ତୁରନ୍ତ ସମାଧାନ ନହେଲେ ବ୍ଲକ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗାଁସାଥୀ (ମେଟ) ସଂଘ ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ମଙ୍ଗଳବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୦୮ ମସିହାରୁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନରେଗା ଯୋଜନାରେ ଗାଁସାଥୀମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ହୋଇ ସୁଚାରୁ ରୂପେ କାର୍ଯ୍ୟ ତୁଳାଇ ଆସୁଛନ୍ତି । ମୁରିବାହାଲ ବ୍ଳକର ଶତାଧିକ ଗାଁସାଥୀ ୨୦୨୪-୨୫ ଓ ୨୦୨୫-୨୬ ଆର୍ଥିକ ବର୍ଷର ପାଉଣା ପାଇବାରୁ ବଞ୍ଚିତ ଥିବା ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା ୧୩୭୫ ତା.୧୩/୦୧/୨୦୨୬ ରିଖ ଅନୁସାରେ ଅର୍ଦ୍ଧ କୁଶଳୀ ଶ୍ରମିକମାନଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେଇ ପାରିଶ୍ରମିକ ପ୍ରଦାନ କରିବା ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ରହିଛି । ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ଦାୟିତ୍ଵରେ ଥିବା ବିଭାଗୀୟ ଅଧିକାରୀ । ଜୁଲାଇ ପହିଲାରୁ ମନରେଗା ଯୋଜନାର ନାମ ପରିବର୍ତ୍ତନ ହୋଇ ବିଭି-ଜୀ ରାମ-ଜୀ ନାମରେ ନୂଆ ରୂପରେଖରେ କାର୍ଯ୍ୟକାରୀ ହେବାକୁ ଯାଉଛି । ତେଣୁ ଚଳିତ ଜୁନ୍ ମାସ ଶେଷ ସପ୍ତାହ ମଧ୍ୟରେ ବକେୟା ଥିବା ସମସ୍ତ ଗାଁସାଥିଙ୍କ ପାଉଣା ପ୍ରଦାନ କରାନଗଲେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେବା ପାଇଁ ସଂଘ ଚେତାବନୀ ଦେଇଛି । ଦାବିପତ୍ର ଗ୍ରହଣ କରି ବିଡ଼ିଓ ଶ୍ରୀମତୀ ସେଠୀ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବ ବୋଲି ସେ ଗାଁସାଥିମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦାବିପତ୍ର ଦେବା ସମୟରେ ବ୍ଲକ ଗାଁସାଥୀ(ମେଟ୍)ସଂଘର ବିଷ୍ଣୁପ୍ରସାଦ ସାହୁ, ନିଳାଦ୍ରୀ ଭୂଷଣ ମିଶ୍ର, କ୍ଷୀରସିନ୍ଧୁ ମାହାକୁର, କଶ୍ୟପ ସରାଫ, ଟିକେମନ ଖର୍ସେଲ, ହାରାବତୀ ମେହେର, ଦେବରାଜ ଲୁହା, ଉଦ୍ଧବ ଛୁରା, ମହେନ୍ଦ୍ର ସାହୁ, ଜୟଲାଲ ଆଡଜୁଆଡ, ଜଗତ ବେହେରା, ମହେନ୍ଦ୍ର ସାହୁ, ଚନ୍ଦ୍ରଧ୍ଵଜ ବାଗ, ମହେନ୍ଦ୍ର ରଣା, ଉମା ସାହୁଙ୍କ ସମେତ ଶତାଧିକ ଗାଁସାଥୀ ଉପସ୍ଥିତ ଥିଲେ ।