
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡ଼ାମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭେଲୁଆଁପଦର ଗ୍ରାମର ୱାର୍ଡ ସଭ୍ୟ ସହଦେବ ସାହୁଙ୍କ ନେତୃତ୍ୱରେ ଆଜି ଭେଲୁଆଁପଦର ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜମରତଲା ଗ୍ରାମପଞ୍ଚାୟତ ସରପଞ୍ଚ ବିଦୁ ଭୂଷଣ ଚାନ୍ଦ, ପୂର୍ବତନ ସରପଞ୍ଚ ସୁରେଶ ଚାନ୍ଦ, ସମାଜସେବୀ ବାବୁଲାଲ ଚାନ୍ଦ, ଅଶୋକ ସେଠ, ସୁଶାନ୍ତ ପଣ୍ଡା, ଗର୍ଭନାଖୋଲ ଗୌନ୍ତିଆ ପ୍ରମୋଦ ଚାନ୍ଦ, ଡଙ୍ଗରମୁଣ୍ଡା ଗୌନ୍ତିଆ ଦେବରାଜ ବେହେରା, ନନ୍ଦଲାଲ ସାହୁ, ଦିଲ୍ଲୀପ ବେହେରା, ସୁରେନ୍ଦ୍ର ଛତ୍ରିଆ, ଜଗତ ସାହୁ, ରମେଶ ସାହୁ, ଭୋଜରାଜ ପ୍ରଧାନ, ଯୁ ଗଳ ଭୁଏ ପ୍ରମୁଖ ଯୋଗ ଦେଇଥିବା ବେଳେ ଭେଲୁଆଁପଦର, ବେହେରାଟାଲ ଓ ଡଙ୍ଗରମୁଣ୍ଡା ଗ୍ରାମର ଅନେକ ସଚେତନ ନାଗରିକ ଉପସ୍ଥିତ ଥିଲେ । ତେବେ ଦୀର୍ଘଦିନ ଧରି ରାସ୍ତା ସମସ୍ୟାରେ ଜର୍ଜରିତ ତିନୋଟି ଗ୍ରାମର ବାସିନ୍ଦା ଶେଷରେ ଏକାଠି ହୋଇ ନିଜ ଦାବିକୁ ଜୋରଦାର କରିଛନ୍ତି । ବର୍ଷା ଦିନରେ କାଦୁଅ ଓ ଖାଲଖମାରେ ଭର୍ତ୍ତି ରାସ୍ତା ଯୋଗୁଁ ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଦୈନନ୍ଦିନ ଜୀବନ ବ୍ୟାହତ ହେଉଥିବାରୁ ଗ୍ରାମବାସୀମାନେ ପକ୍କା ରାସ୍ତା ନିର୍ମାଣ ପାଇଁ ଏକତ୍ରିତ ହୋଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ରାସ୍ତାଟି କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏହା ଅଞ୍ଚଳର ବିକାଶର ମୂଳ ଭିତ୍ତି । ତେଣୁ ଯଥାଶୀଘ୍ର ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଜନପ୍ରତିନିଧିଙ୍କ ନିକଟରେ ଦାବି ଜଣାଇଛନ୍ତି । ଡଙ୍ଗରମୁଣ୍ଡା ଠାରୁ ଭେଲୁଆଁପଦର, ବେହେରାଟାଲ ଠାରୁ ଭେଲୁଆପଦର ଗ୍ରାମକୁ ନୂତନ ରାସ୍ତା ସଂଯୋଗ କରିବା ପାଇଁ ଆଗାମୀ ଦିନରେ ଏହି ତିନୋଟି ଗ୍ରାମର ଗ୍ରାମବାସୀ ଏକତ୍ରିତ ହୋଇ ପ୍ରଶାସନର ଦୃଷ୍ଟିଗୋଚର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । “ରାସ୍ତା ନାହିଁ ତ ବିକାଶ ନାହିଁ” ସ୍ଲୋଗାନ ସହ ତିନି ଗ୍ରାମର ଲୋକଙ୍କ ଏହି ଏକତା ଅଞ୍ଚଳର ବିକାଶ ପାଇଁ ଏକ ଶକ୍ତିଶାଳୀ ବାର୍ତ୍ତା ଦେଇଛି । ପରିଶେଷରେ ସଫେତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।