
- ସିଟି ସ୍କେନ, ଏମ୍ଆରଆଇ ମେସିନ ବିନା ମେଡିକାଲ କଲେଜ ମୂଲ୍ୟହୀନ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରବାସୀଙ୍କ ବହୁଦିନର ସଂଘର୍ଷ ପରେ ଭୀମଭୋଇ ମେଡିକାଲ କଲେଜ ଆରମ୍ଭ ହୋଇଥିଲା । କିନ୍ତୁ ଗତ ବିଜେଡି ସରକାର ନିର୍ବାଚନକୁ ନେଇ ତରବରିଆ ଭାବେ ବିବିଏମ୍ସିଏଚ୍କୁ ଅଧାପନ୍ତରିଆ ଭାବେ ଉଦ୍ଘାଟନ କଲା । ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସ୍ଥିତିରେ କୌଣସି ସୁଧାର ଆସିନାହିଁ । ଏହା ଏକ ରେଫରାଲ ସେଣ୍ଟର ଭାବେ କୁଖ୍ୟାତି ପାଇଲାଣି । ଷ୍ଟାଫର ସ୍ଥିତି ଦେଖିଲେ ଅନେକ ବିଭାଗରେ ଅନେକ ପଦବୀ ଖାଲି ପଡିଛି । ଚିକିତ୍ସା ପାଇଁ ଯେଉଁଟା ନିହାତି ଦରକାର ଯାହାକି ପାରା ମେଡିକାଲ ଷ୍ଟାଫ୍ ତାହାର ସ୍ଥିତି ଅତି ଦୟନୀୟ । ଏପରି ସ୍ଥଳେ ବିନା ପାରାମେଡିକାଲ ଷ୍ଟାଫରେ ମେଡିକାଲ କଲେଜ ଓ ହସ୍ପିଟାଲ୍ ଚାଲିବ କେମିତି ବୋଲି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍ ପରିଦର୍ଶନରେ ଯାଇ କଲେଜର ଡିନ୍ ଡା. ସ୍ୱୟଂପ୍ରଭା ପ୍ରଧାନଙ୍କ ସହ ଆଲୋଚନା ପରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତ୍ୟେକ ଦିନ ବଲାଙ୍ଗିର ସହର ତଥା ଆଖପାଖ ଅଂଚଳରୁ ଲୋକେ ହୃଦଜନିତ ରୋଗରେ ଅତି କମ୍ ବୟସରେ ମୃତ୍ୟୁବରଣ କରୁଛନ୍ତି । ହୃଦରୋଗ ବିଶେଷଜ୍ଞ ବିବିଏମ୍ସିଏଚ୍ରେ ନିହାତି ଦରକାର ବୋଲି ଲୋକେ ଦାବି କରନ୍ତି କିନ୍ତୁ ଯେ, ପର୍ଯ୍ୟନ୍ତ ମେଡିସିନ ବିଭାଗରେ ପିଜି ଖୋଲିବ ନାହିଁ ସେ ପର୍ଯ୍ୟନ୍ତ ହୃଦରୋଗ ବିଶେଷଜ୍ଞ ବିବିଏମ୍ସିଏଚ୍କୁ ମିଳିବ ନାହିଁ । ତଥାପି ମଧ୍ୟ ନିଶ୍ଚିତ ଭାବେ ସରକାରଙ୍କ ଆଗରେ ଦାବି କରିବି, ଯେତେ ଶୀଘ୍ର ହେବ ବିବିଏମ୍ସିଏଚ୍କୁ ହୃଦ୍ରୋଗ ବିଶେଷଜ୍ଞ ସ୍ୱତନ୍ତ୍ର ଭାବେ ଦିଅନ୍ତୁ ଏବଂ ତା ସହ ବିବିଏମ୍ସିଏଚ୍ ତରଫରୁ ଆବେଦନ କରାଯାଇଥିବା ମେଡିସିନ୍ ବିଭାଗ ପିଜି ପାଇଁ ଶୀଘ୍ର ଏମ୍ସିଆଇକୁ ସରକାର ଅନୁରୋଧ କରନ୍ତୁ ବୋଲି ସେ କହିଥିଲେ । ପାରା ମେଡିକାଲ୍ ଷ୍ଟାଫ୍ ପୋଜିସନରେ ଉନ୍ନତି ଆଣିବା ପାଇଁ ଖାଲିଥିବା ୨୦୨ ପଦବୀ ଶୀଘ୍ର ପୂରଣ କରନ୍ତୁ । ପାରା ମେଡିକାଲ ଷ୍ଟାଫ୍ ସମ୍ପୂର୍ଣ୍ଣ ନ ରହିଲେ ଆଇସିୟୁ କେମିତି ଚାଲି ପାରିବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଟ୍ରମା କେୟାର ସ୍ଥିତି ସମ୍ପୂର୍ଣ୍ଣ ବେହାଲ । ଏଥିରେ ଥିବା ୧୯ଟି ପଦବୀରୁ ସମ୍ପୂର୍ଣ୍ଣ ୧୯ ଟି ପଦବୀ ଖାଲିଅଛି । ତେବେ କୌଣସି ବି ଦୁର୍ଘଟଣାରେ ସ୍ନାୟୁ ଜନିତ ସମସ୍ୟା ଯଦି ଉପୁଜେ ତେବେ ସଙ୍ଗେ ସଙ୍ଗେ ରୋଗୀକୁ ବାହାର ମେଡିକାଲ କଲେଜକୁ କିମ୍ବା ଘରୋଇ ହସପିଟାଲକୁ ପଠାଇ ଦିଆଯାଉଛି । ତେଣୁ ଏପରି ସ୍ଥଳେ ବିବିଏମ୍ସିଏଚ୍ ଅସହାୟ ଭାବେ କେବଳ ଏକ ରେଫରାଲ ସେଣ୍ଟର ଭାବେ ପରିଗଣିତ ହେଉଛି ବୋଲି ଶ୍ରୀ ମିଶ୍ର କହିବା ସହ ସରକାର ଏହି ଅସୁବିଧାକୁ ପ୍ରାଥମିକତା ଭିତ୍ତିରେ ପୂରଣ କରନ୍ତୁ ବୋଲି କହିଥିଲେ । ଯଦିଓ ପ୍ରଫେସର, ଏସୋସିଏଟ୍ ପ୍ରଫେସର, ଏସିଣ୍ଟେଣ୍ଟ ପ୍ରଫେସର ପଦବୀ ପୂରଣରେ ସାମାନ୍ୟ ସୁଧାର ଆସିଛି । କିନ୍ତୁ ବିଭିନ୍ନ ବିଭାଗର ସିନିୟର ରେସିଡେନ୍ସ ଡାକ୍ତର, ଜୁନିୟର ରେସିଡେନ୍ସ ଡାକ୍ତର ପଦବୀ ମଧ୍ୟ ଅନେକ ଖାଲିଅଛି । ତେଣୁ ସାମଗ୍ରିକ ଭାବେ ଦେଖିବାକୁ ଗଲେ ସମସ୍ତ ବିଭାଗର ଚିକିତ୍ସା ଡାକ୍ତର ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ବିବିଏମ୍ସିଏଚ୍ରେ ସିଟି ସ୍କେନ ମେସିନ ନାହିଁ । ରୋଗୀକୁ ସିଟିସ୍କେନ ପାଇଁ ଜିଲ୍ଲା ସଦର ମହକୁମା ହସ୍ପିଟାଲକୁ ଯିବାକୁ ପଡୁଥିବାରୁ ରୋଗୀ ହଇରାଣ ହେଉଛନ୍ତି । ବର୍ଷେ ଆଗରୁ ସରକାର ପ୍ରତିଶୃତି ଦେଇଥିଲେ ହେଁ ଆଜି ପର୍ଯ୍ୟନ୍ତ ବିବିଏମ୍ସିଏଚ୍ରେ ଏମ୍ଆରଆଇ ମେସିନ୍ ଦେବାରେ ସରକାର କାହିଁକି ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଏପରି କି ପୁରୁଣା ମେଡିକାଲ କଲେଜମାନଙ୍କରେ ରକ୍ତ ଭଣ୍ଡାର ଥିଲେ ହେଁ ବିବିଏମ୍ସିଏଚ୍ରେ ରକ୍ତ ଭଣ୍ଡାର ବ୍ୟବସ୍ଥା କାହିଁକି କରାଯାଇନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କେବଳ ୪୦/୫୦ ୟୁନିଟ ରକ୍ତ ଷ୍ଟୋରେଜ କରିବା ବ୍ୟବସ୍ଥା ପର୍ଯ୍ୟନ୍ତ ନୁହେଁ । ଯେହେତୁ ସ୍ୱାସ୍ଥ୍ୟମନ୍ତ୍ରୀ ଆମ ଜିଲ୍ଲାର ତେଣୁ ବଲାଙ୍ଗିର ଜିଲ୍ଲାବାସୀ ନିଶ୍ଚିତ ଭାବେ ବିବିଏମ୍ସିଏଚ୍ର ଥିବା ଏହି ସମସ୍ତ ଅସୁବିଧାକୁ ଶୀଘ୍ର ପୂରଣ ହୋଇପାରିବ ବୋଲି ଆଶା ରଖିଥିଲେ । କିନ୍ତୁ ଦୁଃଖର ବିଷୟ ଦୀପତଳ ଅନ୍ଧାର ପରି ସ୍ୱାସ୍ଥ୍ୟମନ୍ତ୍ରୀ ପାଇଁ ମଧ୍ୟ ଆଜି ବଲାଙ୍ଗିର ଜିଲ୍ଲାବାସୀ ସ୍ୱାସ୍ଥ୍ୟସେବା ସୁବିଧାରୁ ବହୁ ଦୂରରେ ବୋଲି ପୂର୍ବତନ ଆଇନମନ୍ତ୍ରୀ କ୍ଷୋଭର ସହ କହିଛନ୍ତି । ଯଦି ବିବିଏମ୍ସିଏଚ୍ରେ ଥିବା ସମସ୍ତ ଅସୁବିଧା ପ୍ରାଥମିକତା ଭିତ୍ତିରେ ପୂରଣ କରାନଯାଏ ତେବେ ସ୍ୱାସ୍ଥ୍ୟସେବାର ଅବହେଳାକୁ ନେଇ ଆଗାମୀ ଦିନରେ ଗାଁରୁ ସହର ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ବ୍ୟତୀତ କଂଗ୍ରେସ ନେତା ମନୀଷ ମିଶ୍ର, ହିମାଂଶୁ ନାୟକ, ଜୁଲୁ ପଟ୍ଟନାୟକ, ସାନନ୍ଦ ମିଶ୍ର, ସମୀର କୁମ୍ଭାର, କୈଳାସ ମିଶ୍ର, ରବିନ୍ଦ୍ର ଖମାରି ଏବଂ ଭୀମଭୋଇ ମେଡିକାଲ କଲେଜର ବିଭିନ୍ନ ବିଭାଗର ଏଚ୍ଓଡି ଓ ହସ୍ପିଟାଲ୍ ମେନେଜର୍ ଉପସ୍ଥିତ ଥିଲେ ।