
- ପିଇବା ପାଣି, ବିଜୁଳି କାଟରେ ଡହଳ ବିକଳ ବଲାଙ୍ଗିରବାସୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ ବଲାଙ୍ଗିରବାସୀଙ୍କ ପାଇଁ ପିଇବା ପାଣି ଓ ଲୋ ଭୋଲଟେଜ୍ ଓ ବିଦ୍ୟୁତ କାଟ ସମସ୍ୟାକୁ ପ୍ରାୟତଃ ସମାଧାନ କରାଯାଇଥିଲା । ସମସ୍ତ ଟ୍ରାନ୍ସଫର୍ମରକୁ ଅପଗ୍ରେଡେସନ କରାଯାଇଥିଲା । ପ୍ରତ୍ୟେକ ୱାର୍ଡରେ ପିଇବା ପାଣି ପାଇପ ହେଉ କି ଟ୍ୟାଙ୍କର ଯୋଗେ ପହଂଚାଯାଇଥିଲା କିନ୍ତୁ ଆଜି କ’ଣ ପାଇଁ କେବଳ ସହର ନୁହେଁ ଗାଁ ଗାଁରେ ମଧ୍ୟ ପିଇବା ପାଣି, ବିଜୁଳିକୁ ନେଇ ଲୋକେ ଡହଳବିକଳ ହେଉଛନ୍ତି । ବଲାଙ୍ଗିରବାସୀ ବିଶ୍ୱାସ କରି ଭୋଟ ଦେଲେ ବର୍ତ୍ତମାନ ସେମାନେ ବିଧାୟକ, ମନ୍ତ୍ରୀ ହୋଇ ଲୋକଙ୍କ ମୌଳିକ ସମସ୍ୟା ସମାଧାନ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମରେ ଲୋକେ ବିଜୁଳି କାଟ, ପାଣି ପାଇଁ ଘୋର ଦୁର୍ଦ୍ଦଶାରେ ଥିବା ବେଳେ ଏହି ଜନପ୍ରତିନିଧିମାନେ କିନ୍ତୁ ବଲାଙ୍ଗିରବାସୀଙ୍କ ଅଭିଯୋଗ ଶୁଣିବାକୁ ମଧ୍ୟ ସମୟ ନ ଦେଇ ରାଜଧାନୀ ଭୁବନେଶ୍ୱର କିମ୍ବା ରାଜ୍ୟ ବାହାରେ ଅୟାସ କରୁଛନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଅତି କ୍ଷୋଭ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବନ୍ଧକଟାର ଉନ୍ନତି ପାଇଁ ନଗର କଂଗ୍ରେସ ତରଫରୁ ବାରମ୍ବାର ଆନ୍ଦୋଳନ କରାଯାଇଥିଲା କିନ୍ତୁ ଏକ ସମୟରେ ଉନ୍ନତିକରଣ ନାଁରେ ସମସ୍ତ ବନ୍ଧକଟାର ପାଣି ଷୁଖେଇ ଦେବାରୁ ବର୍ତ୍ତମାନ ସହରର ଭୂତଳ ଜଳସ୍ତର ବହୁତ ନିମ୍ନକୁ ଚାଲିଯାଇଛି । ଗାଁ ଗଣ୍ଡାରୁ ଆସୁଥିବା ଲୋକେ ସହରରେ ପିଇବା ପାଣି ପାଇବାର ଦୂରର କଥା ଶୌଚ କି ଗାଧେଇବା ପାଣି ସେମାନଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ଆସିଥିବା ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ଦୁର୍ନିତିରେ ପୌର ପରିଷଦ ସମ୍ପୂର୍ଣ୍ଣ ବୁଡି ରହିଛି । ଅଣ କୁଶଳି ୧୦୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀଙ୍କ ନାମରେ ଜଣେ ମାତ୍ର ଠିକାଦାର କାମ କରି ବହୁ କୋଟି ଟଙ୍କାର ଦୁର୍ନୀତି କରି ଐତିହ୍ୟ ସମ୍ପନ୍ନ ମହାରାଣୀ ସାଗରର ସୁନ୍ଦରତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଇଛନ୍ତି । ପୁଣି ବର୍ତ୍ତମାନ ସହରର ସବୁ ବନ୍ଧକଟାର ମାଟି ଉତ୍ତୋଳନ କାମ ଏତେ ଧିମାରେ ଚାଲିଛି ଯେ ଏଥିରେ ମଧ୍ୟ ଯଦି ଗୋଟିଏ ଦୁଇଟା ବର୍ଷା ହୋଇଯାଏ ତେବେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ ଦେଖାଇ ସମ୍ପୂର୍ଣ୍ଣ ଅନୁଦାନ ରାଶିକୁ ଆତ୍ମସାତ କରିଦେବେ । ତେଣୁ ପ୍ରଶାସନ ଏବଂ ସରକାରଙ୍କୁ ଆମର ଅନୁରୋଧ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଅନ୍ତୁ ନଚେତ ଏହି ବନ୍ଧକଟାରେ ମଧ୍ୟ ବଡଧରଣର ଦୁର୍ନୀତି ହେବ । ନିର୍ବାଚନ ଜିତିଯିବା ପରେ ବିଧାୟକ ମନ୍ତ୍ରୀମାନେ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ତେଣୁ ସେମାନେ ମଧ୍ୟ ଦୁର୍ନୀତିରେ ଲିପ୍ତ ବୋଲି ଚାଲିଆଡେ ଲୋକେ ଚର୍ଚ୍ଚା କଲେଣି । ଏମାନଙ୍କ ଦୁର୍ନୀତି ଏତେ ଚରମସୀମାରେ ପହଂଚି ଯେ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଯୋଗାଇ ଦେବାକୁ ମଧ୍ୟ ପିସି ଦାବି କରୁଛନ୍ତି । ଜିଲ୍ଲାରୁ ଶକ୍ତି ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଥାଇ ଉଭୟ କାହିଁକି ବିଜୁଳି କାଟ ଓ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହେଉଛନ୍ତି ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ କହିଥିଲେ । ଜିଲ୍ଲାର ପୂର୍ତ୍ତ , ଗ୍ରାମ୍ୟ ଉନ୍ନୟନ ହେଉ କି ବ୍ଲକ ସବୁ ଜାଗାରେ ନେତାମାନେ ପିସି ପାଇଁ ହାଉଁ ହାଉଁ ହେଉଥିବାରୁ ବିଭିନ୍ନ ପ୍ରକଳ୍ପ କାମରେ ବଡ ଦୁର୍ନୀତି ହୋଇଥିବାର ଅଭିଯୋଗ ଚାରିଆଡେ ଆସୁଛି । ସଦାଇପାଲି ଏକ କାମରେ ବଲାଙ୍ଗିର ବ୍ଲକ ପ୍ରଶାସନ କାର୍ଯ୍ୟାଦେଶ ଦେବା ସତ୍ତ୍ୱେ ସେହି ନିର୍ଦ୍ଦିଷ୍ଟ ଅନୁଦାନକୁ ସମ୍ପୂର୍ଣ୍ଣ ଖାଇଯାଇଛନ୍ତି । ଆର୍ଟିଆଇ ତଥ୍ୟ ଅନୁସାରେ ବ୍ଲକରେ କାର୍ଯ୍ୟାଦେଶ ଅଛି କିନ୍ତୁ ଫାଇଲ ଚୋରି ହୋଇଯାଇଛି । ଦୁଃଖର କଥା ବ୍ଲକ ପ୍ରଶାସନ କିନ୍ତୁ ଫାଇଲ ଚୋରି ହୋଇଛି ବୋଲି ପୋଲିସରେ କୌଣସି ଅଭିଯୋଗ କରିନାହାନ୍ତି । ଆଗାମୀ ଦିନରେ ନିଶ୍ଚିତ ଭାବରେ ଏହାକୁ ନେଇ ଆଇନର ସହାୟତା ନିଆଯିବ ବୋଲି ବୋଲି ଶ୍ରୀ ମିଶ୍ର କହିଥିଲେ । ନେତାମାନେ ନିର୍ବାଚନ ଜିତିବାର ଦୁଇ ବର୍ଷ ବିତି ଯାଇଥିଲେ ଆପତ୍ତି ଜନକ ସ୍ଥାନରେ ଯଥା ଲକ୍ଷ୍ମୀଯୋର ହେଉ କି ଇନ୍ଦିରା ନଗର, ମହାରାଣୀ ସାଗର ହେଉ ଭୂମିହୀନଙ୍କୁ ଥଇଥାନ ପାଇଁ ବିନା ମୂଲ୍ୟରେ ଜମି ଓ ଘର କାହିଁକି ଦିଆଯିବାର ବନ୍ଦୋବସ୍ତ ଆଜି ପର୍ଯ୍ୟନ୍ତ କରିପାରିଲେ ନାହିଁ ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ପ୍ରଶ୍ନ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ନୂଆ ନିଯୁକ୍ତି ପାଇଥିବା ଜିଲ୍ଲା ମହିଳା କଂଗ୍ରେସ ସଭାପତି ଜୟନ୍ତି ପୁଟେଲ ଓ ଦେଓଗାଁ ବ୍ଲକ ମହିଳା କଂଗ୍ରେସ ସଭାପତି ତଥା ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ମଞ୍ଚାସୀନ ଥିଲେ ।