
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପଞ୍ଚାୟତ ସମିତିର ନବମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକଙ୍କ ଗଞ୍ଜାମ ବ୍ଲକ ପ୍ରତିନିଧି ମାନସ ନାୟକ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲାପରିଷଦ -୧୫ର ସଦସ୍ୟ ସନାତନ ବେହେରା, ଜିଲ୍ଲାପରିଷଦ -୧୪ର ସଦସ୍ୟା ସସ୍ମିତା ସ୍ୱାଇଁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜନପ୍ରତିନିଧି, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ପଞ୍ଚାୟତରାଜ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କ୍ଷୁଦ୍ର ଓ ଉଠା ଜଳସେଚନ, ପାନୀୟ ଜଳ ଯୋଗାଣ, ରାସ୍ତା, ଅଙ୍ଗନୱାଡି କେନ୍ଦ୍ର, କୃଷି ଓ ବିଦ୍ୟାଳୟ ଆଦିରେ ଥିବା ବିଭିନ୍ନ ସମସ୍ୟା ଉତ୍ଥାନ କରିଥିଲେ । ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜନପ୍ରତିନିଧିମାନେ ଉତ୍ଥାନ କରିଥିବା ବିଭିନ୍ନ ସମସ୍ୟାର ସାମ୍ପ୍ରତିକ ସ୍ଥିତି ଓ କେବେ ସୁଦ୍ଧା ସେଗୁଡିକର ସମାଧାନ ହୋଇପାରିବ ସେ ବିଷୟରେ ବୈଠକକୁ ଅବଗତ କରିଥିଲେ । ଗଞ୍ଜାମ ବ୍ଲକ ଚାଷ ପାଇଁ ଜଣାଶୁଣା ତେଣୁ ଚାଷୀ ଭାଇଭଉଣୀ ମାନଙ୍କର ସମସ୍ୟା ସମାଧାନକୁ ସବୁବେଳେ ପ୍ରାଥମିକତା ଦେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଚଳିତ ବର୍ଷ ଟମାଟୋ ଅଳ୍ପଦରରେ ବିକ୍ରି ହୋଇଥିଲା । ସେଥିଉପରେ ବିଶେଷ ଦୃଷ୍ଟି ଦେଇ ଚାଷ ପ୍ରତି ଲୋକମାନେ ଉତ୍ସାହିତ ହେଲା ଭଳି ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲାସ୍ତରୀୟ ଅଧିକାରୀମାନେ ସେମାନଙ୍କ ବିଭାଗର ଗଞ୍ଜାମ ବ୍ଲକ ସମ୍ପର୍କୀୟ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ସେ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହି ଅବସରରେ ଦଶମ ପରୀକ୍ଷାରେ ଉତ୍କୃଷ୍ଟ ନମ୍ବର ରଖି ଗଞ୍ଜାମ ବ୍ଲକ ପାଇଁ ସୁନାମ ଆଣିଥିବା କୃତି ଛାତ୍ର-ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।