
ପଞ୍ଚଦଶ କାର୍ଯ୍ୟକାଳର ପୁନର୍ଗଠନ ଲାଗି ସମାଚାର ଏଜେନ୍ସି ପରିଚାଳନାକାରୀ ସଂଘ ଏବଂ ସମାଚାର ଏଜେନ୍ସିଗୁଡ଼ିକ ଠାରୁ ଦାବି ଆହ୍ୱାନ କଲା ଭାରତୀୟ ପ୍ରେସ୍ ପରିଷଦ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ପ୍ରେସ ପରିଷଦ (ପିସିଆଇ)ର ପଞ୍ଚଦଶ କାର୍ଯ୍ୟକାଳର ପୁନର୍ଗଠନ ଲାଗିସମାଚାର ଏଜେନ୍ସି ପରିଚାଳନା କରୁଥିବା ଯୋଗ୍ୟ ବ୍ୟକ୍ତିମାନଙ୍କର ସଂଘ/ସମାଚାର ଏଜେନ୍ସିଗୁଡ଼ିକ ଠାରୁ ଦାବି ଆହ୍ୱାନ କରାଯାଇଛି । ପରିଷଦର ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରେସ୍ ପରିଷଦ ଆଇନର ଧାରା ୫(୪)ର ବ୍ୟବସ୍ଥା ତଥା ପ୍ରେସ୍ ପରିଷଦ (ବ୍ୟକ୍ତିମାନଙ୍କର ସଂଘର ଅଧିସୂଚନା ନିମନ୍ତେ ପ୍ରକ୍ରିୟା) ନିୟମାବଳୀ ୨୦୨୧ ଅନୁଯାୟୀ ଏହି ଦାବି ଆହ୍ୱାନ କରାଯାଇଛି । ପ୍ରେସ୍ ପରିଷଦ ଆଇନ ୧୯୭୮ର ଧାରା ୫(୩)(ସି) ଅଧୀନରେ ସରକାରୀ ବିଜ୍ଞପ୍ତି ଜାରି କରିବା ଲାଗି ଏହି ଦାବି ଆହ୍ୱାନ କରାଯାଇଛି।ଦାବିଗୁଡ଼ିକ ୧୯ ଜୁନ୍ ୨୦୨୬ ସନ୍ଧ୍ୟା ୫ଟା ସୁଦ୍ଧା ଭାରତୀୟ ପ୍ରେସ୍ ପରିଷଦର ଅଧ୍ୟକ୍ଷଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ। ଏ ସଂକ୍ରାନ୍ତରେ ବିଜ୍ଞାପନ ଗତ ୧୭ ମଇ ୨୦୨୬ରେ ସାରା ଭାରତରେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଭାରତୀୟ ପ୍ରେସ୍ ପରିଷଦର ଚତୁର୍ଦ୍ଦଶ କାର୍ଯ୍ୟକାଳ ୫ ଅକ୍ଟୋବର ୨୦୨୪ରେ ଶେଷ ହୋଇଛି । ପରିଷଦର ପଞ୍ଚଦଶ କାର୍ଯ୍ୟକାଳ ପୁନର୍ଗଠନ ଉଦ୍ଦେଶ୍ୟରେ ୯.୬.୨୦୨୪ରେ ବିଜ୍ଞାପନ ସୂଚନା ମାଧ୍ୟମରେ ପ୍ରେସ୍ ପରିଷଦ ଆଇନ ୧୯୭୮ର ଧାରା ୫(୩) (ଏ), (ବି) ଏବଂ (ସି) ଅଧୀନରେ ଦାବି ଉପସ୍ଥାପନ ଲାଗି ଯୋଗ୍ୟ ବ୍ୟକ୍ତିମାନଙ୍କର ସଂଘ ଠାରୁ ଦାବି ଆହ୍ୱାନ କରାଯାଇଥିଲା। ତଥାପି ପ୍ରେସ୍ ପରିଷଦର ଆଇନ ୧୯୭୮ର ଧାରା ୫(୩) ସି ଅଧୀନରେ କୌଣସି ଦାବି ପ୍ରାପ୍ତ ହୋଇନଥିଲା।
ଭାରତୀୟ ପ୍ରେସ୍ ପରିଷଦ ଏକ ବୈଧାନିକ ନ୍ୟାୟିକ ପ୍ରାଧିକରଣ ଅଟେ। ସଂସଦରେ ପ୍ରେସ୍ ପରିଷଦ ଆଇନ ୧୯୭୮ ମାଧ୍ୟମରେ ଏହାକୁ ଗଠନ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛିଭାରତରେ ପ୍ରେସ୍ ସ୍ୱାଧୀନତାଏବଂ ମାପଦଣ୍ଡକୁ ବଜାୟ ରଖିବା ତଥା ସେଥିରେ ସୁଧାର ଆଣିବା ।