
ଆନ୍ତର୍ଜାତୀୟ ‘ଆର୍ଟ ଅଫ ଗିଭିଙ୍ଗ ଡେ’ ଅବସରରେ ଏକତ୍ରିତ ହେଲେ ଗ୍ରାମବାସୀ : ନିଃସ୍ୱାର୍ଥ ସେବାର ମହତ୍ତ୍ୱ ଉପରେ ଜୋର ଦେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି
- ଡ. ଅଚ୍ୟୁତ ସାମନ୍ତଙ୍କ ମାନବତା ଓ ବିଶ୍ୱ ଭ୍ରାତୃତ୍ୱର ଦୃଷ୍ଟି ଭଙ୍ଗୀକୁ ପ୍ରଶଂସା କଲେ ନିରଞ୍ଜନ ବିଶି
- ‘ଆର୍ଟ ଅଫ ଗିଭିଙ୍ଗ ଡେ’ ପାଳନ ଅବସରରେ ଗ୍ରାମାଞ୍ଚଳରେ ପ୍ରେମ, ସେବା ଓ ସାମାଜିକ ଏକତାର ବାର୍ତ୍ତା ହେଲା ପ୍ରଚାରିତ ।
ବଲାଙ୍ଗିର /ପାଟଣାଗଡ଼, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଖୁରସେଲ, ମନେଇପାଦ ମାଣ୍ଡୋମହୁଲ, କୁତୁର୍ଲା, ତୁଳସୀ ଡୁଙ୍ଗୁରି ସହିତ ପାଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ଆନ୍ତର୍ଜାତୀୟ “ଆର୍ଟ ଅଫ୍ ଗିଭିଂ ଡେ” ଉତ୍ସାହ ଓ ମାନବତାର ସନ୍ଦେଶ ସହ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରେମ, ସେବା, କରୁଣା ଓ ଭ୍ରାତୃତ୍ୱର ସନ୍ଦେଶ ପ୍ରଚାର କରିଥିଲେ । ଶ୍ରୀ ବିଶି କହିଥିଲେ ଯେ, “ଆର୍ଟ ଅଫ୍ ଗିଭିଂ” କେବଳ ଏକ ଦିବସ ପାଳନ ନୁହେଁ ବରଂ ଏହା ମାନବତା, ନିଷ୍କାମ ସେବା ଓ ସାମାଜିକ ଦାୟିତ୍ୱବୋଧର ଏକ ବିଶ୍ୱବ୍ୟାପୀ ଆନ୍ଦୋଳନ । ସେ ସମାଜର ଅବହେଳିତ ଓ ଆବଶ୍ୟକତାମୂଳକ ବର୍ଗଙ୍କ ପ୍ରତି ସମ୍ବେଦନଶୀଳ ହୋଇ ସମୂହ ମନୋଭାବରେ ସହଯୋଗ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି ଅବସରରେ ସେ “ଆର୍ଟ ଅଫ୍ ଗିଭିଂ” ଆନ୍ଦୋଳନର ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତଙ୍କ ପ୍ରତି କୃତଜ୍ଞତା ଜଣାଇ କହିଥିଲେ ଯେ, ତାଙ୍କର ଏହି ମାନବତାମୂଳକ ଅଭିଯାନ ସାରା ବିଶ୍ୱରେ ପ୍ରେମ, ଶାନ୍ତି ଓ ସାର୍ବଜନୀନ ଭ୍ରାତୃତ୍ୱର ସନ୍ଦେଶ ପ୍ରସାର କରୁଛି । ଗ୍ରାମାଞ୍ଚଳରେ ଏହି ଆନ୍ଦୋଳନ ସମାଜକୁ ସକାରାତ୍ମକ ଦିଗ ଦେଉଥିବା ସହ ଯୁବପିଢ଼ୀଙ୍କୁ ସେବା ଓ ମାନବତାର ମୂଲ୍ୟବୋଧ ସହ ଯୋଡ଼ୁଛି ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ଗ୍ରାମବାସୀ, ଯୁବକ, ସାମାଜିକ କର୍ମୀ ଓ ବିଭିନ୍ନ ସମୁଦାୟର ଲୋକମାନେ ଆଗ୍ରହ ଏବଂ ଖୁବ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ସମଗ୍ର ଅଞ୍ଚଳରେ ସାମାଜିକ ଏକତା, ସହଯୋଗ ଓ ମାନବ ସେବାର ପରିବେଶ ପ୍ରକାଶ ପାଇଥିଲା । ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଡେ ଅବସରରେ ବିଭିନ୍ନ ସ୍ଥାନରେ ଆବଶ୍ୟକତାମୂଳକ ଲୋକମାନଙ୍କୁ ଖେଳ ସାମଗ୍ରୀ, ପୋଷାକ ଓ ଅନ୍ୟାନ୍ୟ ଉପଯୋଗୀ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରେମ, ସେବା, ଶାନ୍ତି ଓ ସାମାଜିକ ସମରସତାର ସଶକ୍ତ ସନ୍ଦେଶ ପ୍ରସାରିତ ହୋଇଥିଲା ।