
- ବରଗଡ଼ ପାଇଁ ହେବ ମାଇଲଷ୍ଟୋନ – ବିଧାୟକ
ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଟାଉନ କେନାଲର ହେବ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟୀକରଣ । କେନାଲ ଉପରେ ନିର୍ମାଣ ହେବ ବକ୍ସ କଣ୍ଡୁଇଟ୍ । କଥା ଦେଇ କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଧନୁଯାତ୍ରା ମଞ୍ଚରେ ବରଗଡ – ଭେଡେନ ଶାଖା କେନାଲର ସୌନ୍ଦର୍ଯ୍ୟୀକରଣ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଜି ତା’ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଷଡ଼ଙ୍ଗୀ । ପ୍ରଥମ ପର୍ଯ୍ୟାୟରେ ଆରଡି ୪୧୪୫ ରୁ ଆରଡି ୫୧୪୦ ପର୍ଯ୍ୟନ୍ତ ୫୦ କୋଟି ଟଙ୍କାରେ କେନାଲ ଉପରେ ନିର୍ମାଣ ହେବ ବକ୍ସ କଣ୍ଡୁଇଟ୍ ହଜାର ହଜାର ମହିଳା, ଯୁବକଙ୍କ ଦ୍ୱାରା ସ୍ଥାନୀୟ ନିଶାମଣି ପଡିଆରୁ ବିରାଟ ଶୋଭାଯାତ୍ରା ବାହାରି, ସରକାରୀ ବସଷ୍ଟାଣ୍ଡ, ଗାନ୍ଧୀଛକ ଦେଇ କେନାଲ ଛକକୁ ପହଞ୍ଚିଥିଲା । ପରେ ପୂଜାର୍ଚ୍ଚନା କରାଯାଇ ଏହି ପ୍ରକଳ୍ପର ନିର୍ମାଣ କାମର ଶୁଭାରମ୍ଭ କରିଛନ୍ତି ବିଧାୟକ । ଧନୁଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରକଳ୍ପ ପାଇଁ ଅନୁରୋଧ କରାଯାଇଥିଲା ଓ ମଞ୍ଚ ଉପରେ ହିଁ ମୁଖ୍ୟମନ୍ତ୍ରୀ ଘୋଷଣା କରି ଏହି ପ୍ରକଳ୍ପ ବରଗଡ଼ ବାସୀଙ୍କୁ ଭେଟି ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୫୦ କୋଟି ଟଙ୍କା ମଂଜୁର କରାଯାଇଛି ଓ ଟେଣ୍ଡର ମଧ୍ୟ ସରିସାରିଛି । ଖୁବ ଶୀଘ୍ର କାମ ଆରମ୍ଭ ହେବ ଓ ବରଗଡ଼ବାସୀଙ୍କ ପାଇଁ ବେଶ ଲାଭ ଦାୟକ ହେବ । ଏହି ପ୍ରକଳ୍ପ ବରଗଡ଼ ପାଇଁ ଏକ ବିରାଟ ମାଇଲଷ୍ଟୋନ ସାଜିବ ବୋଲି ବିଧାୟକ କହିଛନ୍ତି । ଏହାକୁ ନେଇ ବରଗଡ ବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ । କେନାଲ ଭେନ୍ୟୁ ପାଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ମୁଖ୍ୟଯନ୍ତ୍ରୀ ଏବଂ ଅବବାହିକା ପରିଚାଳକ (ମହାନଦୀ ଅବବାହିକା, ବୁର୍ଲା) ସୁଶୀଲ କୁମାର ବେହେରା, ବରଗଡ଼ ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମଦନ ମୋହନ ସେଠି, ଜିଲ୍ଲା ଠିକାଦାର ସଂଘ ସଭାପତି ସୁଧାଂଶୁ ଗଡତିଆ, ସମ୍ପାଦକ ବିଜୟ ସାହୁ ପ୍ରମୁଖ ମଂଚାସୀନ ଥିବାବେଳେ ସଂଜୀବ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ ।