
ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ରେଡ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ସହରର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ତରଫରୁ ଶୋକସଭା ପାଳନ କରାଯାଇଥିଲା । ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ତଥା ମାର୍ଗଦର୍ଶକ ବିଷ୍ଣୁ ମହାନ୍ତିଙ୍କ ଜୀବନାଦର୍ଶ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ଆଲୋଚନା କରାଯାଇ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଥିଲା । ଉପସ୍ଥିତ ସଦସ୍ୟମାନେ ତାଙ୍କୁ ଜଣେ ମାନବବାଦୀ ମଣିଷ, କେବଳ ଶ୍ରମିକ ଆନ୍ଦୋଳନ ନୁହେଁ ସମସ୍ତ କ୍ଷେତ୍ରରେ ତାଙ୍କର ଦଖଲ, କମ୍ୟୁନିଷ୍ଟ ନେତାଙ୍କ ମଧ୍ୟରେ ଅଗ୍ରଣୀ ନେତା, ଦଳମତ ତଥା ଜାତି, ଧର୍ମ ନିର୍ବିଶେଷରେ ସେଥିଲେ ସମସ୍ତଙ୍କର ପ୍ରିୟ, ତାଙ୍କର ଦିଗଦର୍ଶନ ଓ ଅଙ୍ଗିକାରବଦ୍ଧତା, ଓଡ଼ିଆ ପ୍ରେମୀ, ସାଲିସ ବିହୀନ ନେତା, ରାଉରକେଲା ଅର୍ଦ୍ଧ ଶତାବ୍ଦୀର ଇତିହାସ ଭାବେ ବାଖ୍ୟା କରିଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ ତାଙ୍କ ଉଦ୍ଦେଶ୍ୟରେ ଏକ କବିତା ପାଠ କରିଥିଲେ । ପାଠାଗାରର ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭୟ କୁମାର ଦାସ, ଚନ୍ଦ୍ରଶେଖର ଶତପଥୀ, ଡାକ୍ତର ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଗଙ୍ଗାଧର ଦାଶ, ଅଟମ ରଥ, ଟୁକୁଲା ପାଢ଼ୀ, ଜ୍ୟୋତିରଞ୍ଜନ ମହାପାତ୍ର, ସସ୍ମିତା ପ୍ରଧାନ, ସତ୍ୟନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ । ଶେଷରେ ସମ୍ପାଦକ ଶ୍ରୀ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।