
ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ୨୨ ରୁ ୨୪ ଯାଏଁ ଦୁଲୁକିବ ବଲାଙ୍ଗିର । ଦୁଲଦୁଲି କଳା ପରିଷଦର ୨୫ ବର୍ଷ ପୂର୍ତ୍ତି ଅବସରରେ ଜାତୀୟ ଆଦିବାସୀ ନୃତ୍ୟ ସଙ୍ଗୀତ ସମାରୋହ ଅବସରରେ ଲୋକକଳା ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ନେଇ ସ୍ଥାନୀୟ ବଲାଙ୍ଗିର ସାମ୍ୱାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦୁଲଦୁଲି କଳା ପରିଷଦର ଅନନ୍ତ ଦାସ, ବାସୁଦେବ ସା, ଅଭିନେତ୍ରୀ ବିଦ୍ୟୁସ୍ମିତା ଦାସ, ବ୍ୟାସଦେବ ପୁରୋହିତ, ସୁଦାମ ବିଶି, ସନ୍ତୋଷ ପାଣିଗ୍ରାହୀ, ରସରାଜ ଅଚ୍ୟୁତ ପୁରୋହିତ, ସ୍ୱରୂପା ସିଂ ଓ କୁନା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡ଼ିଆରେ ଆସନ୍ତା ୨୨, ୨୩ ଓ ୨୪ରେ ଏହି ଲୋକ କଳା ଉତ୍ସବ ୨୦୨୬ ବଡ଼ ଧୁମଧାମରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ମାନ୍ୟଗଣ୍ୟ ଅଥିତି ଓ ସୁନାମ ଧନ୍ୟ କଳାକାର ଯୋଗ ଦେବାର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସାରା ବଲାଙ୍ଗିର ସହର ବାଜା, ଗାଜାର ତାଳେ ତାଳେ ଦୁଲୁକିବ ବୋଲି କୁହାଯାଇଛି । ଏହି ଅବସରରେ ଦୁଲଦୁଲି କଳା ପରିଷଦର ଲୋଗୋ ଉନ୍ମୋଚନ କରାଯାଇଥିଲା ।