
- ଯୋଗ ଦେଲେ ସାରା ରାଜ୍ୟରୁ ୧୩୬ ଜଣ ପ୍ରତିଯୋଗୀ
- ସୃଷ୍ଟି ଉପାଧ୍ୟାୟ ୫୦ମି. ମହିଳା ଓ ନବୀନ ଶର୍ମା ୫୦ମି. ପୁରୁଷ ବଟରଫ୍ଲାଏରେ ପ୍ରଥମ
- ପ୍ରତ୍ୟାଶା ରାଏ ମହିଳା ୨୦୦ମି. ପ୍ରଥମ
ଭୁବନେଶ୍ୱର, (ଦେବାଶିଷ ମିଶ୍ର) : କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଏକ୍ୱାଟିକ୍ ସେଣ୍ଟରରେ ୬୬ତମ ଓଡିଶା ରାଜ୍ୟ ସିନିୟର ସୁଇମିଂ ଚମ୍ପିୟାନସିପ୍ ଉଦ୍ଘାଟିତ ହୋଇଯାଇଛି । ସୁଇମିଂ କ୍ରୀଡାର ଏହି ସମ୍ମାନଜନକ ରାଜ୍ୟ ଚମ୍ପିୟାନସିପକୁ କ୍ରୀଡା ଓ ଯୁବ ବ୍ୟପାର ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଯୋଗଦେଇ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ କ୍ରୀଡା ଓ ଯୁବ ବ୍ୟପାରର ଅତିରିକ୍ତ ସଚିବ ସୁଧାକର ନାଏକ ଏବଂ ଅମୀତ ନାଏକ ବିଭାଗୀୟ ଉପ ସଚିବ ଏ ଅବସରରେ ଯୋଗ ଦେଇଥିଲେ । ଓଡିଶା ରାଜ୍ୟ ସୁଇମିଂ ସଂଘ ସଭାପତି ପ୍ରଦୀପ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନି ସଭାରେ ରାଜ୍ୟ ସଂଘ ସାଧାରଣ ସଂପାଦିକା ଗୋଲାପମଣୀ ମହନ୍ତ, ରାଜ୍ୟ କୋଷାଧ୍ୟକ୍ଷ ବିଜୟ କୁମାର ଦୀକ୍ଷିତ ମଂଚାସୀନ ଥାଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପ୍ରତିଯୋଗିତାରେ ଓଡିଶାର ୧୪ଟି ଜିଲ୍ଲାରୁ ୯୯ ଜଣ ପୁରୁଷ ପ୍ରତିଯୋଗୀ, ୩୭ଜଣ ମହିଳା ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗ ନେଉଥିବା ବେଳେ ଏ ସମସ୍ତ ପ୍ରତିଯୋଗିତାକୁ ସାରା ରାଜ୍ୟରୁ ୪୦ ଜଣ ଟେକ୍ନିକାଲ ଅଫିସିଆଲ ପରିଚାଳନା କରୁଛନ୍ତି । ପ୍ରଥମ ଦିନର ରିପୋର୍ଟ ହେବା ପର୍ଯ୍ୟନ୍ତ ପ୍ରତିଯୋଗିତାରେ ମହିଳା ବିଭାଗରେ ୫୦ ମିଟର ବଟରଫ୍ଲାଏରେ ଖୋର୍ଦ୍ଧାର ସୃଷ୍ଟି ଉପାଧ୍ୟାୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଖୋର୍ଦ୍ଧାର ସୋନିଆ ପଟେଲ ଓ ଚିନ୍ମୟୀ ବେହେରା ଯଥାକ୍ରମେ ଏହି ପ୍ରତିଯୋଗିତାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୫୦ ମିଟର ପୁରୁଷ ବଟରଫ୍ଲାଏରେ ବରଗଡ ଜିଲ୍ଲାର ନବୀନ ଶର୍ମା ପ୍ରଥମ, ଯଦୁ ବୁଡେକ ଦ୍ୱିତୀୟ, ଗଞ୍ଜାମ ସୁଭ୍ରନ୍ତ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମହିଳା ୨୦୦ ମି. ବେକଷ୍ଟ୍ରୋକରେ ଖୋର୍ଦ୍ଧାର ପ୍ରତ୍ୟାଶା ରାଏ ପ୍ରଥମ, ଧାନଭି ଭøମିକ ଦ୍ୱିତୀୟ ଏବଂ କିସ୍ ଓ କିଟ୍ର ଅଞ୍ଜଳି ମୁଣ୍ଡା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୨୦୦ ମିଟର ପୁରୁଷ ବେକ୍ଷ୍ଟ୍ରୋକରେ ଖୋର୍ଦ୍ଧାର ଅଭିନବ କୁମାର ସିଂହ ପ୍ରଥମ, ଅଭିନାଶ ଦାଶ ଦ୍ୱିତୀୟ ଓ ବଲାଙ୍ଗିରର ସ୍ୱାଗତ ସେଠ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧୦୦ ମିଟର ମହିଳା ବେକ୍ଷ୍ଟ୍ରୋକରେ କଟକର ଦିବ୍ୟାଙ୍କା ଦିବ୍ୟଜ୍ୟୋତି ପ୍ରଧାନ ପ୍ରଥମ, କିସ କିଟର ଅଞ୍ଜଳି ମଲ୍ଲିକ ଦ୍ୱିତୀୟ, ବରଗଡର ଶ୍ରୀଜିତା ମହାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୧୦୦ ମି. ପୁରୁଷ ବ୍ରେକଷ୍ଟ୍ରୋକରେ ସାଇ ସ୍ୱରୁପ ସ୍ୱାଇଁ ପ୍ରଥମ, ବଲାଙ୍ଗିରର ସୌରଭ ପୁଟେଲ ଦ୍ୱିତୀୟ ଏବଂ ସମ୍ବଲପୁରର ସ୍ୱସ୍ତିକ ମହାକୁର ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ସହାୟତାରେ ଚାଲିଥିବା ଏହି ପ୍ରତିଯୋଗିତା ସମସ୍ତ ପ୍ରତିଯୋଗୀଙ୍କ ପାଇଁ ଖାଦ୍ୟ ତଥା ରହିବା ବ୍ୟବସ୍ଥା କରାଯାଇଛି ଏବଂ ୧୭ ତାରିଖ ପ୍ରତିଯୋଗିତାର ସମସ୍ତ ବିଭାଗର ଖେଳ ସମାପନ ହେବ ବୋଲି ସଭାପତି ପ୍ରଦୀପ କୁମାର ପାଢୀ ସୂଚନା ଦେଇଛନ୍ତି ।