
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ତାଙ୍କ ବିଭାଗ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧୀୟ ବିବରଣୀ ଜିଲ୍ଲା ଜରୁରୀ ଶାଖାକୁ ଦାଖଲ କରିବା ପାଇଁ କୁହାଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ, ସୋନପୁର ଉପଜିଲ୍ଲାପାଳ ଡା. ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଏବଂ ବିଭିନ୍ନ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକକୁ ଜିଲ୍ଲା ଜରୁରୀ ଶାଖା ଅଧିକାରୀ ରାଜେଶ କୁମାର ସାହୁ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ କିପରି ପଦକ୍ଷେପ ଗ୍ରହଣ କରାଯିବ, ସେଥିପାଇଁ ଆଲୋଚନା କରାଯାଇଥିଲା । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପିଏଚଡି ଏବଂ ଗ୍ରାମୀଣ ଜଳ ଯୋଗାଣ ଓ ସ୍ୱଚ୍ଛତା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାଛଡ଼ା ଜଣ୍ଡିସ୍ ପ୍ରଭାବିତ ଗ୍ରାମଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସାପ କାମୁଡ଼ା, ପାଣିରେ ବୁଡ଼ି ମୃତ୍ୟୁ କିମ୍ବା ବଜ୍ରାଘାତଜନିତ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ କିପରି ସହାୟତା ରାଶି ପ୍ରଦାନ କରାଯିବ ଏବଂ ସେଥିପାଇଁ ଆବଶ୍ୟକ ମିଳିତ ନିରୀକ୍ଷଣ କରାଯିବ ସେଥିପାଇଁ ବୈଠକରେ ଜୋର ଦିଆଯାଇଥିଲା । ବନ୍ୟା ସମୟରେ ମିଥ୍ୟା ଓ ଭ୍ରାନ୍ତିକର ଖବର ଉପରେ ବିଶ୍ୱାସ ନ କରି କେବଳ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଉପରେ ଲୋକମାନେ କିପରି ବିଶ୍ୱାସ କରିବେ ଏବଂ ସେଥିପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯାଇପାରିବ ସେହି ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।