jayashree

ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାଶ କଲା ସୁବର୍ଣ୍ଣପୁର ପୋଲିସ

  • ଚୋରିରେ ପବଜୀ ଗେମ୍ ଖେଳୁଥିବା ଉତ୍ତରପ୍ରଦେଶର ସାଙ୍ଗ ସାମିଲ୍

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଶିବା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ଘଟଣାର ପର୍ଦ୍ଦାଫାସ କଲା ସୁବର୍ଣ୍ଣପୁର ପୋଲିସ । ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଉପ ଆରକ୍ଷୀ ଅଧିକ୍ଷକ କେ.କେ ହରିପ୍ରସାଦ ଏବଂ ବୀରମହାରାଜପୁର ଥାନା ଆଇଆଇସି ଯଯାତି କେଶରୀ ସାହୁ । ସୂଚନା ଯୋଗ୍ୟ ଯେ, ଗତ ୯ ତାରିଖ ଶନିବାର ଦିନ ରାତି ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପାଖରେ ଥିବା ଶିବା ମୋବାଇଲ ଦୋକାନର ପଛପଟୁ କାନ୍ଥରେ ସିନ୍ଧି ଖୋଳି ଚୋରମାନେ ଦୋକାନ ଭିତରକୁ ଚତୁରତାର ସହ ପ୍ରବେଶ କରି ୪୭ ଗୋଟି ଦାମୀ ମୋବାଇଲ୍ ଚୋରି କରି ନେଇଥିଲେ । ଦୋକାନରେ ସିସିଟିଭି ଲାଗିଥିବା ବେଳେ ଚୋରମାନେ ମୁହଁରେ ମାସ୍କ ପିନ୍ଧିବା ସହ ଛତା ଧରି ଭିତରକୁ ପ୍ରବେଶ କରି ଯେମିତି ଧରା ନ ପଡ଼ିବେ ପ୍ରଥମେ ସିସି ଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିଲେ । ଏନେଇ ଶିବା ମୋବାଇଲର ମାଲିକ ରାମକୃଷ୍ଣ ମେହେର ୧୦ ତାରିଖ ରବିବାର ଦିନ ସକାଳୁ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେ ତାଙ୍କ ଦୋକାନରୁ ୧୫ ଲକ୍ଷ୍ ଟଙ୍କାରୁ ଅଧିକ ଟଙ୍କା ମୂଲ୍ୟର ୪୭ ଗୋଟି ମୋବାଇଲ ସହ ନଗଦ ୮ ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲା ବୀରମହାରାଜପୁର ପୋଲିସ । ନୂତନ ଭାବରେ ବୀରମହାରାଜପୁର ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ ଯଯାତି କେଶରୀ ସାହୁଙ୍କ ପାଇଁ ଏହା ଚ୍ୟାଲେଞ୍ଜ ସଦୃଶ ହୋଇଥିବା ବେଳେ ଏହାକୁ ଗମ୍ଭୀରତାର ସହ ନେଇଥିଲେ ଶ୍ରୀ ସାହୁ । ସେ ତୁରନ୍ତ ତାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ଛାନଭିନ ଆରମ୍ଭ କରିଥିଲେ । ସେ ଏଥି ପାଇଁ ଫରେନସିକ୍ ଟିମ୍‌ର ମଧ୍ୟ ସହାୟତା ନେଇଥିବା ବେଳେ ତଦନ୍ତ ପ୍ରଥମେ ସ୍ଥାନୀୟ ଅଞ୍ଚଳର ସିସିଟିଭି ଗୁଡ଼ିକୁ ଯାଞ୍ଚ କରିଥିଲେ । ପ୍ରଥମେ ଏଥିରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ଯୁବକ ପ୍ରିତମ ଭୋଇ ଓ ମହେଶ ପାତ୍ରଙ୍କ ସଂପୃକ୍ତି ଜଣାପଡିଥିଲା । ବୀରମହାରାଜପୁର ଥାନା ଚମ୍ପାମାଳ ଅନ୍ତର୍ଗତ ସାଗଜୁରି ଗ୍ରାମର ପ୍ରିତମ ଭୋଇ (୧୯)ଙ୍କ ଘରେ ଚଢାଉ କରି ପ୍ରଥମେ ତା ପାଖରୁ ୪୫ ଗୋଟି ମୋବାଇଲ ଉଦ୍ଧାର କରିବା ସହିତ ସମସ୍ତ ତଥ୍ୟ ହାସଲ କରିଥିଲେ । ଏହି ଚୋରିରେ ଅନ୍ୟ ଦୁଇ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶ ନୋଇଡା ଜିଲ୍ଲା ଗୌତମ ବୁଦ୍ଧ ନଗରର ଆରିଫ୍ ଅନସାରୀ(୨୦) ଓ ସ୍ଥାନୀୟ ଚମ୍ପାପୁରର ମହେଶ ପାତ୍ର (୧୯) । ଉତ୍ତରପ୍ରଦେଶର ଆରିଫ ସାଙ୍ଗରେ ପବ୍‌ଜୀ ଖେଳରୁ ସେମାନେ ଚିହ୍ନା ପରିଚୟ ହୋଇଥିବା ବେଳେ ତାକୁ ଚୋରି କରିବା ପାଇଁ ଡ଼କାଇଥିଲେ ପ୍ରିତମ । ସେମାନଙ୍କ ପାଖରୁ କାନ୍ଥରେ ସିନ୍ଧି ଖୋଳି ଥିବା ଲୁହା ଶାବଳକୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଆଜି ତିନି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଉଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କେ. କେ ହରିପ୍ରସାଦ ।

Leave A Reply

Your email address will not be published.