jayashree

ସହରରେ ପିସିଆର ସଂଖ୍ୟା ବୃଦ୍ଧି ସହ ୨୪/୭ କଡାକଡି ପେଟ୍ରୋଲିଂ ବ୍ୟବସ୍ଥା ଏବଂ ନୂତନ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ ପାଇଁ ଦାବି ଜଣାଇଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

  • ଏସ୍.ପି ଦେଲେ ଦୃଢ଼ ପ୍ରତିଶ୍ରୁତି

​ବଲାଙ୍ଗିର, (କେପିଏନ୍‌ଏସ୍‌) : ଦ୍ରୁତ ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ବୃଦ୍ଧି ଯୋଗୁଁ ଶାନ୍ତିପ୍ରିୟ ବଲାଙ୍ଗିର ସହରର ସୁରକ୍ଷା ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ଅଣ୍ଟା ଭିଡ଼ିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ମଙ୍ଗଳବାର ସଂଗଠନର ଏକ ପ୍ରତିନିଧି ଦଳ ବଲାଙ୍ଗିର ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ସହରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବଂ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ​ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ବର୍ତ୍ତମାନ ବଲାଙ୍ଗିର ସହରର କଳେବର ବୃଦ୍ଧି ପାଇ ଜନସଂଖ୍ୟା ପାଖାପାଖି ୧.୫ ଲକ୍ଷ ଅତିକ୍ରମ କଲାଣି । ଏହି ପରିପ୍ରେକ୍ଷୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମାତ୍ର ୨ଟି ପିସିଆର୍‌ ଭ୍ୟାନ୍‌ ନିୟୋଜିତ ରହିବା ସହରର ଜନସଂଖ୍ୟା ଓ ଭୌଗୋଳିକ ପରିସୀମା ତୁଳନାରେ ଅତି ନଗଣ୍ୟ । ଏହାର ସୁଯୋଗ ନେଇ ସହରର ବିଭିନ୍ନ ସ୍ଥାନରେ ନିଶାଖୋରଙ୍କ ପ୍ରାଦୁର୍ଭାବ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି, ଯାହା ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସହରକୁ ଅପରାଧମୁକ୍ତ କରିବା ପାଇଁ ଅତିକମରେ ଆଉ ୩ରୁ ୪ଟି ନୂତନ ପିସିଆର୍‌ ଭ୍ୟାନ୍‌ ସହ ସ୍ୱତନ୍ତ୍ର ପୋଲିସ ବଳ ନିୟୋଜିତ କରି ୨୪/୭ ପେଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରିବାକୁ ସଂଗଠନ ଦାବି କରିଛି । ​ସେହିପରି ସହରର ପ୍ରମୁଖ ଛକଗୁଡ଼ିକରେ ଟ୍ରାଫିକ ନିୟନ୍ତ୍ରଣ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଲୋକସଂଖ୍ୟା ଅନୁସାରେ ଯାନବାହନ ସଂଖ୍ୟା ମଧ୍ୟ ବଢୁଥିବାରୁ ପୂର୍ବରୁ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକ ଅପର୍ଯ୍ୟଶପ୍ତ ମନେ ହେଉଛି । କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କ ପାଇଁ ବିଶ୍ରାମ ଗୃହ, ଶୌଚାଳୟ ଓ ପାନୀୟ ଜଳର ସୁବିଧା ଥିବା ଆଧୁନିକ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି । ବିଶେଷ କରି ସହରର ନୂତନ ବ୍ୟସ୍ତବହୁଳ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯାଇ ସେଠାରେ ନୂତନ ଟ୍ରାଫିକ ଆଉଟପୋଷ୍ଟ ସହ ଅଧିକାରୀ ନିୟୋଜିତ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ ରହିଛି । ​ସଂଗଠନର ସଦସ୍ୟଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ପରେ ବଲାଙ୍ଗିର ଏସ୍‌ପି ସମସ୍ତ ବିଷୟକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏସ୍‌ପିଙ୍କ ପ୍ରତିଶ୍ରୁତି ମୁତାବକ, ସହରର ସୁରକ୍ଷା ହେଉଛି ତାଙ୍କର ପ୍ରାଥମିକତା । ପିସିଆର୍‌ ସଂଖ୍ୟା ବୃଦ୍ଧି ପାଇଁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ଏବଂ ଅଧିକ ଗାଡ଼ି ମଗାଇବା ପାଇଁ ପ୍ରୟାସ କରାଯିବ । ଏହା ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନୂତନ ଟ୍ରାଫିକ ଆଉଟପୋଷ୍ଟ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପଦକ୍ଷେପ ଗୁଡ଼ିକୁ ଗ୍ରହଣ କରାଗଲେ ସହରବାସୀଙ୍କ ମଧ୍ୟରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଏକ ନୂଆ ଆଶା ସଞ୍ଚାର ହୋଇପାରିବ । ସଂଗଠନର ଏହି ପ୍ରତିନିଧି ମଣ୍ଡଳୀରେ ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ରବୀନ୍ଦ୍ର ପ୍ରଧାନ, ସରୋଜ ଜାଲ, ଶିବ ବେହେରା, ସୁରେନ୍ଦ୍ର ସେଠ୍ ଓ କିଶୋର ଜାଲ ପ୍ରମୁଖ ସାମିଲ ରହିଥିଲେ ।

Leave A Reply

Your email address will not be published.