
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗଞ୍ଜାମର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ମଇ ମାସ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୭ମ ଓଡିଶା ରାଜ୍ୟ ଅମେଚର କିକ୍ ବକ୍ସିଂ ଚମ୍ପିୟାନସିପରେ ଶେଖର କିକ୍ ବକ୍ସିଂ ଏକାଡେମୀର ୧୧ ଜଣ ଖେଳାଳି ଭାଗ ନେଇଥିଲେ । ସିନିୟର ବିଭାଗରେ କ୍ରିଷ୍ଣା ସେଠ ଗୋଟିଏ ସ୍ୱର୍ଣ୍ଣ, ଜୁନିୟର ବିଭାଗରେ କିରନ ସେଠ ଗୋଟିଏ ସ୍ୱର୍ଣ୍ଣ, ଅଭିପ୍ସା ହୋତା ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ, ଶୀତଲ ସାହୁ ଗୋଟିଏ ରୌପ୍ୟ, ଶ୍ରୀୟା ସାହୁ ଦୁଇଟି କାଂସ୍ୟ, ରିତିକ୍ ସାହୁ, ରାଜୁ ସାହୁ, ମଧୁମିତା ନାଗ ଗୋଟିଏ ଲେଖାଏଁ କାଂସ୍ୟ ପଦକ ଜିତି ବଲାଙ୍ଗିର ପାଇଁ ଗୌରବ ଆଣିଛନ୍ତି । ଶେଖର କିକ୍ ବକ୍ସିଂର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, ମୁରଲି ମହାକୁର ଓ ମଳୟ ରଂଜନ କୁମ୍ଭାର ବିଚାରକ ଓ ରେଫରି କାର୍ଯ୍ୟ ତୁଲାଇଥିଲେ । ଜିଲ୍ଲା ଆମେଚର କିକ୍ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ମିଶ୍ର, ସଂପାଦକ ଭଗବାନ କୁମ୍ଭାର, କରାଟେ ସଂଘର ସଂପାଦକ ହୃଦୟ ଶବର ଓ ଶେଖର କିକ୍ ବକ୍ସିଂ ଏକାଡେମୀର ସଦସ୍ୟ ବଦ୍ରିନାଥ ହୋତା, ସୁରେନ୍ଦ୍ର ସାହୁ, ନିଳାଚଳ ନାହାକ, ହିମାଂଶୁ, ଚୈତନ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।