
ଜୟପାଟଣା, (ଶେଷଦେବ ବେହେରା) : ମୁଖିଗୁଡ଼ା ପୁରୁଣା ସାହିର ଚଇତୁ ମାଝୀଙ୍କ ମୃତ୍ୟୁ ଘଟଣା ଅନେକଙ୍କୁ ଚହଲାଇ ଦେଇଥିଲା । ପାଞ୍ଚ ପ୍ରାଣୀଙ୍କ ପେଟ ଅପୁରା ହେବା ପରେ ଘରେ ସ୍ୱାମୀ ଓ ଦୁଇ ବାଳୁତ ପୁଅ ଝିଅଙ୍କୁ ଛାଡି ସ୍ତ୍ରୀ ସାନ ଦେଇ ବଡ଼ ପୁଅ ହେମନ୍ତକୁ ଧରି ଦାଦନ ଖଟିବା ପାଇଁ ସୁଦୂର ବେଙ୍ଗାଲୁରୁ ଚାଲିଯାଇଥିଲେ । ଏଭଳି ସ୍ଥିତିରେ ସ୍ୱାମୀ ଚଇତୁ ମାଝୀଙ୍କ କେନାଲରେ ଭାସି ଯାଇ ମୃତ୍ୟୁ ଖବର ପାଇବା ପରେ ସାନ ଦେଇ ବିଲପି ଉଠିଥିଲା । ପୁଅ ହେମନ୍ତକୁ ଧରି ସୁଦୂର ବେଙ୍ଗାଲୁରୁରୁ ଗାଁକୁ ପହଞ୍ଚିବା ମଧ୍ୟରେ ସ୍ୱାମୀଙ୍କ ଚିତା ଜଳି ସାରିଥିଲା । ଗତକାଲି ଅର୍ଥାତ ଗୁରୁବାର ଦିନ ଆଦିବାସୀ ପରମ୍ପରା ମଧ୍ୟରେ ତିନି ଦିନିଆ ଶୁଦ୍ଧି କ୍ରିୟା ସଂପନ୍ନ ହୋଇଗଲା । ସମସ୍ତ ପରିବାରକୁ ଏକ ଅହେତୁକ ଆଶଙ୍କା ଘାରି ସାରିଛି । ସ୍ଵାମୀଙ୍କ ଉପସ୍ଥିତିରେ ପରିବାର ପାଇଁ ବଡ଼ ଧରଣର ସହାୟତା ମିଳୁଥିଲା । ଏବେ ତିନି ପୁଅ ଝିଅଙ୍କ ଦାୟିତ୍ଵ ବିଧବା ମାଆ ସାନ ଦେଇଙ୍କ ଉପରେ । ଦୁଇବର୍ଷ ତଳେ ବଡ଼ ପୁଅ ହେମନ୍ତ ୬୪ପ୍ରତିଶତ ମାର୍କ ରଖି ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲା । ହେଲେ ଗରିବୀ ମଧ୍ୟରେ ଉଚ୍ଚ ଶିକ୍ଷା ଅଟକି ଗଲା । ଭଉଣୀ ଆରତୀ ମଧ୍ୟ ଷଷ୍ଠ ଶ୍ରେଣୀରୁ ପାଠ ପଢା ବନ୍ଦ କରି ଘର କାମରେ ଲାଗିଲା । ଏବେ ଆଠ ବର୍ଷର ସାନ ପୁଅ ଦୀପକ କୁମାରର ଶିକ୍ଷା ବ୍ୟବସ୍ଥା ମଧ୍ୟ ସୂତା ଖିଅରେ । ଆଜି ମୃତକଙ୍କ ପରିବାର କଷ୍ଟକୁ ଦେଖି କିଛି ସାମାଜିକ କର୍ମୀ ଘରେ ପହଞ୍ଚି । ମାନବିକ ସହାୟତା ଦେବା ସହିତ ହେମନ୍ତଙ୍କ ପରବର୍ତ୍ତୀ ପାଠ ପଢା ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇ ଫେରୁଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ପରିବାର ପାଇଁ ସାମାଜିକ ସହାୟତା ଆବଶ୍ୟକ ପଡ଼ୁଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରୁ ତିନି ହଜାର ଟଙ୍କା ଓ ସମ୍ପର୍କୀୟମାନେ ଶବ ଆଣିବାରେ ସହାୟତା କରିଥିବା ୱାର୍ଡ ସଦସ୍ୟା ଦଶାରି ମାଝୀ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ମିଳିବାକୁ ସାଧାରଣରେ ଦାବୀ ହେଉଛି ।