jayashree

ଲୋଇସିଂହା ଥାନାରେ “ଜୁଭେଣ୍ଟିକା” କିଶୋର କିଶୋରୀ ମାନଙ୍କ ସହ ପୋଲିସର ସଚେତନତା ଓ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପୋଲିସ ଥାନାର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ “ଜୁଭେଣ୍ଟିକା” କିଶୋର କିଶୋରୀ ମାନଙ୍କ ସହିତ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ଲୋଇସିଂହା ଥାନା ଅଧିକାରିଣୀ ସିପୋରା ସାଏରା ଲୁଗୁନ ଶିଶୁ ଓ କିଶୋର-କିଶୋରୀ ମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ ସହଜ, ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଶତାଧିକ କିଶୋର-କିଶୋରୀ ମାନଙ୍କ ସମେତ ଅଙ୍ଗନୱାଡି କର୍ମୀ ସାମିଲ ହୋଇଥିଲେ । ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁ ଉପଭୋଗ କରିବାରେ ସମୟ ଅତିବାହିତ କରୁଛନ୍ତି । ସବୁବେଳେ ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ବିଷୟବସ୍ତୁ ଗ୍ରହଣ କରି ଭବିଷ୍ୟତ ଉଜ୍ଵଳ କରିବାକୁ ଶ୍ରୀମତୀ ଲୁଗୁନ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ବିଭିନ୍ନ ସମୟରେ ସେମାନେ ସାଇବର ଅପରାଧ ସହିତ ସାମାଜିକ ସମସ୍ୟାର ଶିକାର ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ ସେମାନଙ୍କୁ ନୈତିକ ଶିକ୍ଷା ଦେବା ସହ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣି ସଠିକ୍ ପରାମର୍ଶ ଓ ନୈତିକ ସମର୍ଥନ ପ୍ରଦାନ କରିବା ମଧ୍ୟ ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ଆହୁରି କହିଥିଲେ ଯେ, ଏହି ପ୍ରୟାସ ଯୁବପିଢ଼ି ଓ ପୋଲିସ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସେ ସମସ୍ତ କିଶୋର-କିଶୋରୀ ମାନଙ୍କୁ ନିର୍ଭୟରେ ପୋଲିସ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇବାକୁ ପରାମର୍ଶ ଦେଇଥିଲେ । କିଶୋର-କିଶୋରୀ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ଓ ମଙ୍ଗଳ ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ଶିଶୁ ଓ କିଶୋର-କିଶୋରୀ ମାନଙ୍କ ପାଇଁ ଏକ ସୁରକ୍ଷିତ, ସକାରାତ୍ମକ ପରିବେଶ ସୃଷ୍ଟି ହେବ ବୋଲି ଆଶା ପ୍ରକଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ସବ ଇନିସ୍ପେକଟର ଅମ୍ରିତା ମୁଣ୍ଡା, ଇନିସ୍ପେକଟର ସନାତନ ସାହୁଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.