
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜ ଓ ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାମାଜିକ ଓ ସାଇବର ଅପରାଧର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପରିସରରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲର ଛାତ୍ରୀମାନେ ସେମାନଙ୍କର ଦିଦିମାନଙ୍କ ସହିତ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ମହିଳା ଓ ଶିଶୁମାନେ ସମାଜରେ ଯେଉଁ ପ୍ରକାରର ସମସ୍ୟାଗୁଡିକୁ ସାମ୍ନା କରୁଛନ୍ତି ସେ ଗୁଡିକର ନିରାକରଣ କିପରି ହେବ । ଦୁନିଆରେ ଯେତେ ପ୍ରକାର ସାଇବର କ୍ରାଇମ୍ ହେଉଛି ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ଏହାର କିପରି ସମାଧାନ ହେବ ତାହାର ଉପାୟ ବତାଇ ଦିଆଯାଇଥିଲା । ଶିଶୁ ଓ ମହିଳାମାନେ ପୋଲିସ ସହିତ କିଭଳି ବିନା ସଂକୋଚରେ ମିଶିପାରିବେ ଓ ତାଙ୍କର କୌଣସି ସମସ୍ୟା ହେଲେ ନିଃସଙ୍କୋଚରେ କହିପାରିବେ ସେ ବିଷୟରେ ଅବଗତ କରାଯାଇଥିଲା । ପ୍ରଥମେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଭିସି ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମସ୍ତଙ୍କୁ ଉଦବୋଧନ ଦେବା ସହ ସଚେତନ କରେଇ ଧନ୍ୟବାଦ ଦେଇଥିଲେ । ଏହାପରେ ସମସ୍ତ ଛାତ୍ରୀମାନଙ୍କୁ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଅନଲାଇନ୍ ମାଧ୍ୟମରେ ହେଉଥିବା ଠକେଇଗୁଡିକୁ ଦେଖେଇ ଶିକ୍ଷା ଦିଆଯାଇଥିଲା । ସମସ୍ତ ଛାତ୍ରୀମାନଙ୍କୁ ଥାନାର ବିଭିନ୍ନ ପ୍ରକୋଷ୍ଠ ପରିଦର୍ଶନ କରାଯାଇଥିଲା । ପରେ ବଲାଙ୍ଗିର ସାଇବର ଥାନା ଆଇଆଇସି ଦୁନିଆରେ ହେଉଥିବା ବିଭିନ୍ନ ସାଇବର୍ କ୍ରାଇମ୍, ସୋସିଆଲ ମିଡ଼ିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଅନଲାଇନ୍ ଠକେଇ ଓ ଶିଶୁ ନିର୍ଯ୍ୟାତନା ବାବଦରେ ଅବଗତ ଓ ତାର ନିରାକରଣ ସମ୍ପର୍କରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଥାନାର ସମସ୍ତ ସବଇନସ୍ପେକ୍ଟରଙ୍କ ସହ ଥାନା କର୍ମଚାରୀ ଉପସ୍ଥିତ ଥିଲେ ।