jayashree

ବିଧାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବିଶିଷ୍ଟ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ରଘୁନାଥପାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ପରିଷଦର ସଭାପତି ଡ଼. ସୁମନ ଦତ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ, ଅବସରପ୍ରାପ୍ତ ପୁଲିସ ଅଫିସର୍ସ ଆସୋସିଏସନର ଉପସଭାପତି ରଞ୍ଜିତ କୁମାର ଭୋଇ ମଞ୍ଚାସୀନ ରହି ହମିରପୁରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନାରେ ହମିରପୁରର ମୌଳିକ ସମସ୍ୟା ଯଥା ଗମନାଗମନ ସୁବିଧା, ଡ୍ରେନେଜ ସୁବିଧା, ରାସ୍ତାରେ ବିଦ୍ୟୁତ କରଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସମସ୍ୟା, ପୋଖରୀର ସୌନ୍ଦର୍ଯ୍ୟ କରଣ ଆଦି ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ହମିରପୁର ଜିଲ୍ଲାର ସର୍ବପୁରାତନ ରାଜସ୍ୱ ଗ୍ରାମ ହୋଇଥିଲାବେଳେ ଏହି ଅଞ୍ଚଳ ନା ପଞ୍ଚାୟତରେ ନା ମ୍ୟୁନିସିପାଲିଟିରେ ନା ଆର୍‌ଏସ୍‌ପି ଅଧିନରେ ଅଛି । ଫଳରେ ମୌଳିକ ସମସ୍ୟା ଗୁଡିକର ସମାଧାନ ହୋଇପାରୁନାହିଁ । ବିଧାୟକ ଶ୍ରୀ ତନ୍ତୀ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ହମିରପୁରର ବାସିନ୍ଦା ତଥା ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଛାତ୍ର ସର୍ବୋଚ୍ଚ ୯୯% ନମ୍ବର ରଖିଥିବାରୁ ଓ ବିଧାୟକ ଶ୍ରୀ ତନ୍ତୀଙ୍କ ବିବାହ ବାର୍ଷିକୀ ପାଇଁ ସମ୍ମାନିତ କରାଯାଇଥିଲା । ଶେଷରେ ପରିଷଦର ଅନ୍ୟତମ ବରିଷ୍ଠ ସଦସ୍ୟ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଚାର୍ଯ୍ୟ, ଡାକ୍ତର କାଳୀକିଙ୍ଗର ଷଡ଼ଙ୍ଗୀ, ଡାକ୍ତର ଗୋପାଳ ଚନ୍ଦ୍ର ରାୟ, ପ୍ରଶାନ୍ତ କୁମାର ସୋମ, ରାଜେନ୍ଦ୍ର ଜୟଶ୍ୱାଲ, ସୁକାନ୍ତି ତ୍ରିପାଠୀ, ଅକ୍ଷୟ ପୁହାଣ, ସୁନିଲ ରଞ୍ଜନ ସାହୁ, ଏ କେ ବାଲଚାନ୍ଦନୀ, ସନ୍ତୋଷ ରାୟଗୁରୁ, ମହେଶ୍ୱର ପଣ୍ଡା, ନିରଞ୍ଜନ ସାମନ୍ତରାୟଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.