jayashree

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ

  • ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା, ସାଂସଦଙ୍କ ପ୍ରତିନିଧି ସାନନ୍ଦ କୁମାର ମେହେର, ଉପାଧ୍ୟକ୍ଷ ଝସକେତନ ବଘାର, ଜିଲ୍ଲାପାଳ ଡ. ନୃପରାଜ ସାହୁ, ଭାରପ୍ରାପ୍ତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ କାଳିଆ ମଲ୍ଲିକ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ସଦସ୍ୟା ଏବଂ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା ପ୍ରମୁଖ ଉପସ୍ଥିତ ଥିଲେ । ଇଂ ରଘୁନାଥ ଜଗଦଲା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର କିପରି ଶତ ପ୍ରତିଶତ ସଫଳ ରୂପାୟନ ହେବ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ । ବୈଠକକୁ ପ୍ରତିନିଧି ପଠାଇ ଦେଇ ଜିଲ୍ଲାସ୍ତରୀୟ ଅଧିକାରୀ ଅନୁପସ୍ଥିତ ରହୁଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ । ଏଠାରୁ ଜିଲ୍ଲାପାଳ ଡ. ସାହୁ ଅଧିକାରୀମାନେ ନିଜ ନିଜ ମଧ୍ୟରେ ସମନ୍ଵୟ ରକ୍ଷାକରି ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ କରିଥିଲେ । ବୈଠକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇ ଅଧିକାରୀମାନଙ୍କୁ ଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଚାଲିଥିବା ବେଆଇନ ବାଲି ଉତ୍ତୋଳନ ସମ୍ପର୍କରେ ଖଣି ବିଭାଗର ପଦକ୍ଷେପ ଉପରେ ଚର୍ଚ୍ଚା ହୋଇଥିଲା । ସେହିପରି ଜଙ୍ଗଲ ବିଭାଗର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜନପ୍ରତିନିଧିମାନଙ୍କୁ ସାମିଲ କରିବାକୁ କୁହାଯାଇଥିଲା । ଟାଟା ପାୱାରକୁ ସୋଲାର ପାୱାର ବ୍ୟବହାର ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦେବା ସହିତ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟ ମାନଙ୍କରେ ଶ୍ରେଣୀଗୃହ ସଂଖ୍ୟା କମ ଥିବା ଓ ଶିକ୍ଷକ ଅଭାବ ସମସ୍ୟା ସମାଧାନ କରିବାକୁ କୁହାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରସୂତି ଚିକିତ୍ସା ଓ ଶିଶୁ ଜନ୍ମ ସମ୍ପର୍କିତ ସରକାରୀ ଓ ବେସରକାରୀ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ମିଳିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ରାମ୍ପ କାମ ତ୍ୱରାନ୍ୱିତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା କଡା କରିବାକୁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ଜିଲ୍ଲାର ସମସ୍ତ ପୋଖରୀ ଓ ନାଳମାନଙ୍କୁ ବର୍ଷା ପୂର୍ବରୁ ସଫା କରିବାକୁ କୁହାଯାଇଥିଲା ।

Leave A Reply

Your email address will not be published.