
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରୋତ ମହାବିଦ୍ୟାଳୟରେ ୪୨ତମ ବାର୍ଷିକ ଉତ୍ସବସୁରଙ୍ଗୀ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଉପ ଜିଲ୍ଲାପାଳ ତଥା କଲେଜ ପରିଚାଳନା ସମିତିର ସଭାପତି ଆଲୋକ କୁମାର ପଟେଲଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏହି କଲେଜର ପୂର୍ବତନ ଅଧକ୍ଷ ତଥା ଟିଟିଲାଗଡ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଯୋଗ ଦେଇଥିଲେ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଏହିପରି କଲେଜର ସାଂସ୍କୃତିକ ପରିଷଦର ଉପ ସଭାପତି ଅଧ୍ୟାପକ ଅର୍ନ୍ଧେନ୍ଦୁ ମେହେର ବାର୍ଷିକ ବିବରଣୀ ପଠନ କରିବା ସହ ଅଧ୍ୟାପକ ସୁବିଜ୍ଞ ଗଡତ୍ୟା ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ମୁଖ୍ୟ ସମ୍ପାଦକ ପ୍ରମୋଦ ଦାସଙ୍କ ଉପସ୍ଥିତିରେ ବାର୍ଷିକ ମୁଖପତ୍ର ବାଣୀ ପ୍ରବାହ ଉନ୍ମୋଚନ କରାଯାଇଥିଲା । ଏହି ସଭାକୁ କଲେଜର ଅଧ୍ୟାପକ ଡ. ଲିଙ୍ଗରାଜ ମେହେର ସଂଯୋଜନା କରିଥିଲେ ଓ ମାନସ ରଞ୍ଜନ କୁମାର କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୋତ କଲେଜକୁ ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବରେ ଗଢି ତୋଳିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ ଏବଂ ନିଜ ଭାଗ୍ୟ ନିଜେ ଗଢିତୋଳିବାକୁ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ସଭାରେ ଅଧ୍ୟାପିକା ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇ ଥିଲା । ଏହି ପରି ମହାବିଦ୍ୟାଳୟକୁ କିଛି ଜମିଦାନ କରିଥିବା ରୋତର ଜୟସିଂହ ବରିହାଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ ରାଜ୍ୟ, ଦେଶରେ ସୁନାମ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।