
ରାଉରକେଲା, (ସସ୍ମିତା ପ୍ରଧାନ) : ମହିଳାମାନଙ୍କ ଦ୍ୱାରା ପରିଚାଳିତ କୋଏଲନଗର କୀର୍ତ୍ତନ ମଣ୍ଡଳୀ ଗତ କିଛି ବର୍ଷ ଧରି ପ୍ରତ୍ୟେକ ମଙ୍ଗଳବାର ନିୟମିତ ଭାବେ ସତସଙ୍ଗ ଓ କୀର୍ତ୍ତନ ଆୟୋଜନ କରୁଛନ୍ତି । ଏହି ପରମ୍ପରାକୁ ଅଗ୍ରସର କରି ଗତ ରବିବାର ଦିନ ମଣ୍ଡଳୀର ସଦସ୍ୟାମାନେ ଏକ ସମାଜସେବାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ । ଅନୁଷ୍ଠାନର ବୀଣା ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଏଲନଗର ହନୁମାନ ମନ୍ଦିର ନିକଟରେ ଭୟାବହ ଗ୍ରୀଷ୍ମତାପକୁ ଦୃଷ୍ଟିରେ ରଖି ପଥଚାରୀ ମାନଙ୍କୁ ଶୀତଳ ସର୍ବତ ଓ ଚଣା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମଣ୍ଡଳୀର ସମସ୍ତ ସଦସ୍ୟାମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ଶତାଧିକ ପଥଚାରୀ ଶୀତଳ ସର୍ବତର ଆନନ୍ଦ ଉଠାଇ ଗ୍ରୀଷ୍ମରୁ କିଛି ଆଶ୍ୱସ୍ତ ଅନୁଭବ କରିଥିଲେ । ସ୍ଥାନୀୟ ଲୋକମାନେ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ।