
ବଲାଙ୍ଗିର, (କେପିଏନ୍ଏସ୍) : ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାରେ ସମ୍ପ୍ରସାରଣ, ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଓଡ଼ିଶା ପ୍ରେସ ଏକାଡେମୀ ଗଠନ ଓ ମୃତ୍ୟୁ ଅନୁକମ୍ପା ରାଶି ଦଶ ଲକ୍ଷ ଟଙ୍କା ବୃଦ୍ଧି ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ, ଓଡିଶାର ସଭାପତି ବିଭୁତି ଭୂଷଣ କରଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଅଶ୍ୱିନୀ କୁମାର ନାଏକଙ୍କ ନେତୃତ୍ୱରେ ଜିଲ୍ଲାର ସାମ୍ବାଦିକମାନେ ଏକାଠି ହୋଇ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଜ଼ିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଅପେକ୍ଷାକୃତ ଦୁର୍ବଳ । ଦେଶର ସଂଖ୍ୟାଧିକ ରାଜ୍ୟ, ସେ ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧୂସ୍ଵୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ରେ ସୀମିତ ରହିଛି । ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ୧୦,୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃଭିଗତ ସୁରକ୍ଷା ଭଳି ନାନାଦି ଆର୍ଥିକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକ ବର୍ଗଙ୍କୁ ବଞ୍ଚିତ କରାଯାଇଛି । ଏହା ଦର୍ଶାଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାନ୍ତି । ଏହି ସନ୍ଦର୍ଭରେ ପୂର୍ବ ସରକାର ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏପରିକି ୨୦୨୪ ମସିହା ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାରଙ୍କ ବିରୋଧରେ ଏକ ବିଶାଳ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିବାବେଳେ ତତ୍କାଳୀନ ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବର୍ତ୍ତମାନର କ୍ୟାବିନେଟ୍ ସହଯୋଗୀ ତଥା ବଲାଙ୍ଗିର ଜିଲ୍ଲାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ତିନି ହଜାରରୁ ଉର୍ଦ୍ଧ୍ଵ ସାମ୍ବାଦିକଙ୍କୁ ଉଦ୍ବୋଧନ ମାଧ୍ୟମରେ ଆଶ୍ୱାସନା ଦେଇଥିଲେ ଯେ, ସରକାରକୁ ଆସିଲେ ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଛଅମାସ ମଧ୍ୟରେ ପୂରଣ କରଯିବ” । ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବା ପରେ ସାମ୍ବାଦିକଙ୍କ ମୌଳିକ ଦାବି ପୂରଣ ନେଇ ଆମ୍ଭମାନଙ୍କ ମଧ୍ୟରେ ବିପୁଳ ଆଶା ସଞ୍ଚାର ହୋଇଥିଲା । ମାତ୍ର ଦୁଃଖର ସହ ବ୍ୟକ୍ତ କରିବାକୁ ପଢୁଛି କି, ଏହି ସରକାର ପ୍ରାୟ ଦୁଇବର୍ଷ ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ସାମ୍ବାଦିକ ମାନଙ୍କ ଦୀର୍ଘଦିନର ମୁଖ୍ୟ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ ଓ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି । ଉପରୋକ୍ତ ଦାବି ଗୁଡିକୁ ବିଚାରକୁ ନେଇ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ସହ ଅନ୍ୟ ଦାବି ଗୁଡିକୁ ପୂରଣ କରିବାକୁ ଦାବି ଜୋର ଧରିଛି । ଆଗାମୀ ମେ ୧ ତାରିଖ ଦିନ ଜିଲ୍ଲାର ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରିବେ ବୋଲି ସଭାପତି ଅଶ୍ୱିନୀ କୁମାର ନାଏକ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ସନ୍ଦୀପ କୁଅର, ସାଧାରଣ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମସୁନ୍ଦର ମେହେର, ପୂର୍ବତନ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ଶ୍ୟାମପ୍ରସାଦ ଗୁରୁ, ଉପସଭାପତି ସୁଶାନ୍ତ ବାରିକ, ବିମଳେନ୍ଦୁ ସାହୁ, ମହେଶ କରଙ୍କ ସମେତ ଜ଼ିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଜୋରଦାର କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ନାଏକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।