
ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୨୬ ମସିହା ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବା ପରେ, ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସମେତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କୃତି ଛାତ୍ରୀମାନଙ୍କୁ ସେମାନଙ୍କର ଏହି ଅସାଧାରଣ ସଫଳତା ପାଇଁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ସଫଳତା ପଦ୍ମପୁର ଅଞ୍ଚଳ ତଥା ମହାବିଦ୍ୟାଳୟ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିଥିବା ବେଳେ ସମଗ୍ର ଶିକ୍ଷାନୁଷ୍ଠାନରେ ଉତ୍ସାହର ଲହରୀ ଖେଳିଯାଇଛି । ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପ୍ରୋଭିଜନାଲ ମେରିଟ୍ ଲିଷ୍ଟରେ ମହାବିଦ୍ୟାଳୟର ବହୁ ମେଧାବୀ ଛାତ୍ରୀ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି । ବାଣିଜ୍ୟ ବିଭାଗରେ ନିକିତା ସାହୁ ବିଶ୍ୱବିଦ୍ୟାଳୟ ସ୍ତରରେ ପଞ୍ଚମ ସ୍ଥାନ ଅଧିକାର କରିଥିବା ବେଳେ, ଅର୍ଥନୀତି ବିଭାଗରେ କଲ୍ୟାଣୀ ସାହୁ ଚତୁର୍ଥ, ସୌମ୍ୟରଞ୍ଜିତା ସ୍ୱାଇଁ ସପ୍ତମ ଓ ନିତୁ ବାରିକ ଅଷ୍ଟମ ସ୍ଥାନ ହାସଲ କରିଛନ୍ତି । ସେହିପରି ଶିକ୍ଷା ବିଭାଗରେ ତୁଳସୀ ସାହୁ ଅଷ୍ଟମ, ଇତିହାସରେ ପମି ବଢ଼େଇ ଷଷ୍ଠ ଏବଂ ପ୍ରାଣୀ ବିଜ୍ଞାନ ବିଭାଗରେ ମୀନାକ୍ଷୀ ପ୍ରିୟଦର୍ଶିନୀ ସାହୁ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି । ବିଶେଷ ଭାବେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଥିବା ଗଭୀର ନିଷ୍ଠା ଯୋଗୁଁ ଓଡ଼ିଆ ସମ୍ମାନରେ ଆରତୀ ମହାନନ୍ଦ ବିଶ୍ୱବିଦ୍ୟାଳୟରେ ତୃତୀୟ ସ୍ଥାନ ହାସଲ କରି ମହାବିଦ୍ୟାଳୟର ସୁନାମ ବଢ଼ାଇଛନ୍ତି । ଏହି ସଫଳତା କେବଳ ଛାତ୍ରୀମାନଙ୍କର ନୁହେଁ, ବରଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଉପଯୁକ୍ତ ମାର୍ଗଦର୍ଶନ, କଠିନ ପରିଶ୍ରମ ଓ ଅଭିଭାବକମାନଙ୍କ ଆଶୀର୍ବାଦର ମିଳିତ ଫଳ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳର ଏହି ପ୍ରତିଭାବାନ ଛାତ୍ରୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ବଳରେ ସମଗ୍ର ବିଶ୍ୱବିଦ୍ୟାଳୟ ସ୍ତରରେ ନିଜକୁ ଶ୍ରେଷ୍ଠ ଭାବେ ପ୍ରମାଣିତ କରିଥିବାରୁ ବିଭିନ୍ନ ମହଲରୁ ସାଧୁବାଦ ଓ ପ୍ରଶଂସାର ସୁଅ ଛୁଟିଛି । ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଅଞ୍ଚଳ ମହାବିଦ୍ୟାଳୟ ପୁଣିଥରେ ନାରୀ ଶିକ୍ଷା ଓ ସଫଳତା କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି ।