ଅସହାୟ ଦିବ୍ୟାଙ୍ଗକୁ ସାହାଯ୍ୟ କେବେ ?

ଟିଟିଲାଗଡ, (ଗୌରବ ଦର୍ଜୀ) : ପରିବାରରେ ପୁଅ ଟିଏ ହେଲେ ଅନେକ ହସ ଖୁସିର ମାହୋଲ ରହିଥାଏ । ଆଉ ପୂର୍ବରୁ ଦୁଇ ଗୋଟି ଝିଅ ପରେ ଯଦି ପୁଅ ଟିଏ ଆସିଥାଏ ତ ଖୁସି ଆଉ କାହିଁରେ କେତେ । ହେଲେ ସେହି ପୁଅ ଯଦି ସୁସ୍ଥ ସବଳ ନ ରହେ ତ ପରିବାର ଉପରେ ଅଦିନିଆ ଝଡ଼ ବୋହି ଆସେ । ଯାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଟିଟିଲାଗଡ଼ ବ୍ଲକ ସଗୁନାମୁଣ୍ଡା ଗାଁର କରୁଣ ଚିତ୍ର । ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ଲୁଥୁରବନ୍ଦ ପଂଚାୟତ ଶାଗୁଣାମୁଣ୍ଡା ଗାଁ । ଗାଁ ରେ ଦିନ ମଜୁରିଆ ଭାବରେ ରହିଛନ୍ତି ମାୟାଧର ଡୁଙ୍ଗରି । ପରିବାର କହିଲେ ଦୁଇ ଝିଅ ଏବଂ ଗୋଟିଏ ପୁଅ । ଗୋଟିଏ ପଟେ ଦରିଦ୍ରତା ତ ଅନ୍ୟ ପଟେ ଅଜଣା ରୋଗରେ ଏଗାର ବର୍ଷର ଶିଶୁ ଆକାଶ ଡୁଙ୍ଗୁରି । ଦିନକୁ ଦୁଇ ମୁଠା ଖାଦ୍ୟ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ପରିବାର ଲୋକେ । ଏମିତି ସ୍ଥଳେ ପୁଅର ଚିକିତ୍ସା କେମିତି କରିବେ ତାହାକୁ ନେଇ ଚିନ୍ତା । ସତେ ଯେମିତି ଦଇବ ବି ସାହା ହେଲାନି ପରିବାର ଉପରେ । ଛୋଟ ପିଲାଟି ଦେଖିବାକୁ ସୁନ୍ଦର ଲାଗୁଛି ହୃଷ୍ଟପୃଷ୍ଟ ଅଛି । ମା ବାପାଙ୍କ ଅତି ଗେଲ୍‌ହା ପୁଅ । ହେଲେ ଆକାଶ ନା ଚାଲି ପାରେ, ନା ଶୁଣିପାରେ ଆଉ ନା କିଛି କହି ପାରେ । କେବଳ ସଂକେତକୁ ଦେଖି ଯାହା କିଛି କରିଥାଏ । ଆଉ ଘୋଷାରି ଘୋଷାରି ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ବସି ବସି ଯାଇଥାଏ । ଆଉ ପୁଅର ଏହି ଦୃଶ୍ୟ କୁ ଦେଖି ମାର କୋହ ଅଜଣା ଯନ୍ତ୍ରଣାରେ ଫାଟି ପଡିଥାଏ । ଜନ୍ମରୁ ଠିକ ଥିବା ଆକାଶ ସମୟ ଅନୁସାରେ ବଢ଼ି ଥିଲା । ହେଲେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ନା ଚାଲି ପାରିଲା ଆଉ ନା କିଛି କହି ପାରିଲା । ପରିବାର ଲୋକେ ଟିଟିଲାଗଡ଼ ଠୁ ନେଇ ବଲାଙ୍ଗୀର, ବୁର୍ଲା ଠୁ ନେଇ ରାଜସ୍ଥାନ ପର୍ୟ୍ୟନ୍ତ ଗଲେ ହେଲେ ସବୁଠି ନିରାଶ ହୋଇ ଏବେ ନିଜ ଭାଗ୍ୟକୁ ଆଦରି ଘରେ ରହିଛନ୍ତି । ଏମିତି କି ଦୀର୍ଘ ପାଞ୍ଚ ବର୍ଷ ଧରି ଏକ ପେନସନ ପାଇଁ ଆବେଦନ କରିଥିଲେ ମଧ୍ୟ ଆଜି ଯାଏ ପାଇ ପାରିନାହାନ୍ତି । ଏମିତି ସ୍ଥଳରେ ସରକାରଙ୍କ ସହାୟତା ଏହି ଛୋଟ ପିଲା ପାଇଁ ସତେ ଯେପରି ସାତ ସପନ ସାଜିଛି । ତେବେ ରାଜ୍ୟ ସରକାର ଯଦି ଏହି କୁନି ପିଲାର ଚିକିତ୍ସା ପାଇଁ କିଛି ବ୍ୟବସ୍ଥା କରନ୍ତେ ତ ହୁଏ ତ ପରିବାରରେ କିଛି ହସ ଖୁସି ଫେରି ଆସନ୍ତା ।

Leave A Reply

Your email address will not be published.