
- ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଦେବଦାସୀ’
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆଜି ‘ଦେବଦାସୀ’ ନାଟକ ମଞ୍ଚସ୍ଥ ହୋଇଯାଇଛି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଢ଼େଙ୍କାନାଳର ଅଲ୍ଟରନେଟିଭ୍ ରିଦମ୍ ଥିଏଟର ପକ୍ଷରୁ ପ୍ରସ୍ତୁତ ଏହି ନାଟକଟିକୁ ଦିନେଶ ଦାସ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । ସଂଗୀତ ନିର୍ଦ୍ଦେଶନା ମଣ୍ଟୁ ଦେଇଥିବା ବେଳେ ବିକାଶ ପ୍ରଧାନ ଆଲୋକ ସାଜସଜ୍ଜା କରିଥିଲେ । ସେହିପରି ମଞ୍ଚ ସଜ୍ଜା କରିଥିଲେ କାର୍ତ୍ତିକ, ପ୍ରମୋଦ ଓ ମାଧବ । ଆଜିର ଉତ୍ସବକୁ ବରିଷ୍ଠ ଅଭିନେତା ଆଲୋକ ବୋଷ ଉଦଘାଟନ କରିଥିଲେ । ମୁଖ୍ୟ ଦର୍ଶକ ଭାବେ ବସ୍ତିଆ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ଇଂ. ଗୌତମ ମିଶ୍ର ଯୋଗ ଦେଇଥିଲେ । ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କୁ ବିଶିଷ୍ଟ ରାଜନୀତିଜ୍ଞ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସ୍ମୃତିରେ ‘ସୁରେନ୍ଦ୍ର ଦ୍ୱିବେଦୀ ସ୍ମୃତି ନାଟ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପାଢ଼ୀଙ୍କୁ ସ୍ୱସ୍ତି ନାଟ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ତଥା ଶିକ୍ଷାବିତ୍ ଶର୍ମିଷ୍ଠା କବି ଶତପଥି ଏଥିରେ ଅଧ୍ୟକ୍ଷତା କରିଥିଲେ । ସ୍ୱସ୍ତିର ଯୁଗ୍ମ ନାଟ୍ୟ ସଂପାଦକ ଗୌତମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ନିରୁପମା ପତି । କାର୍ଯ୍ୟକ୍ରମ ପରିଚାଳନାରେ ରାଜୀବ ପାଣି, ବିଜୟ ପାତ୍ର, ପ୍ରଳୟ ଶତପଥି, କଲ୍ୟାଣୀ ଦାସ, ରୁନୁ ବେକ, ସନ୍ଧ୍ୟା ପଟ୍ଟନାୟକ, ଡ. ଅଜୟ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ନାଟକର ବିଭିନ୍ନ ଭୂମିକାରେ ମନୋହର, ଦିନେଶ, କାମାକ୍ଷା, ଜୟଦେବ, କାର୍ତ୍ତିକ, ନିରଞ୍ଜନ, ମାନସ, ପ୍ରମୋଦ, ଆଶୁତୋଷ, ବିଶ୍ୱଜିତ, ଜୟଚନ୍ଦ୍ର, ସତ୍ୟଜିତ, ମାଧବ, ସୁଶ୍ରୀ ସାଲ୍ଭି, ଦେବଯାନୀ, ସୌମ୍ୟା ପ୍ରମୁଖ ସୁନ୍ଦର ଅଭିନୟ କରିଥିଲେ । ନାଟକ ଶେଷରେ ନାଟ୍ୟ ନିର୍ଦ୍ଦେଶକ ଦିନେଶ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।