jsm

ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବୀରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଚିନିକଳ ସଂଘର୍ଷ ସମିତି

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବ ଘୋଷଣା ଅନୁଯାୟୀ ଦେଓଗାଁ ଦିନିକଳ ସଂଘର୍ଷ ସମିତି ତରଫରୁ ଚିନିକଳ ପୁନଃଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଅଫିସ ସାମ୍‌ନାରେ ଏକ ଧାରଣା ତଥା ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଗତ ସାଧାରଣ ନିର୍ବାଚନରେ ଏହି ପ୍ରସଙ୍ଗକୁ ବିଜେପି ଦଳ ତାଙ୍କ ନିର୍ବାଚନୀ ଇସ୍ତାହାରରେ ସ୍ଥାନିତ କରି ଏବଂ ସରକାରକୁ ଆସିବା ପରେ ବଲାଙ୍ଗିରସ୍ଥ ପଥରଚେପା ଠାର ଅନୁଷ୍ଠିତ କୃଷକ ଶକ୍ତି ମେଳାରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଏବଂ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚିନିକଳ ତୁରନ୍ତ ଖୋଳିବା ନେଇ ଦୃପ୍ତକଣ୍ଠରେ ଘୋଷଣା କରିବା, ଜିଲ୍ଲାର ଚାଷୀ ସମାଜ, ଶ୍ରମିକ ଶ୍ରେଣୀ ତଥା ବୁଦ୍ଧିଜୀବୀ ମହଲରେ ନୂତନ ଆଶାର ସଂଚାର କରିଥିଲା । ପ୍ରଶାସନିକ ସ୍ତରରେ ମଧ୍ୟ କିଛି ହଲଚଲ ଅନୁଭବ କରାଯାଉଥିଲା । କିନ୍ତୁ ନିକଟ ଅତୀତରେ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଭୁବନେଶ୍ୱର ଠାରେ କେବଳ ନୟାଗଡ ଓ ବଡମ୍ବା ଚିନିକଳ ଚାଲିବା ନେଇ ସବୁଜ ସଂକେତ ଦେଇଥିଲେ । ଏହା ଦ୍ୱାରା ପୁନର୍ବାର ଦେଓଗାଁ ଚିନିକଳର ଭାଗ୍ୟ ଅନିଶ୍ଚିତତା ଭିତରକୁ ଚାଲିଗଲା । ଏଣୁ ସରକାରଙ୍କ ଏତାଦୃଶ ଉପେକ୍ଷା ଓ ଅଣଦେଖା ଭାବକୁ ଚାଷୀ ସମାଜ ସହଜରେ ଗ୍ରହଣ କରିବ ନାହିଁ ବୋଲି ସଂଘର୍ଷ ସମିତିର ମୁଖ୍ୟ ଆବାହକ ବିଭୁଦତ୍ତ ମିଶ୍ର ପ୍ରକାଶ କରି ଯଦି ସରକାର ନିର୍ଦ୍ଦିଷ୍ଠ ସମୟସୀମା ଭିତରେ ଏ ସମ୍ବନ୍ଧୀୟ ସକରାତ୍ମକ ଘୋଷଣା ନ କରନ୍ତି, ତା ହେଲେ ସମିତି ବାଧ୍ୟ ହୋଇ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ଶାଣୀତ କରିବ ବୋଲି ଚେତାବନୀ ଦେଇଥିଲେ । ଆବାହକ ସତ୍ୟ ବନଛୋରଙ୍କ ସଂଯୋଜନା ଓ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସଭାରେ ବିଭିନ୍ନ ଚାଷୀ ସଂଗଠନର ନେତୃତ୍ୱ, ଶ୍ରମିକ ସଂଗଠକ ଏବଂ ବୁଦ୍ଧିଜୀବୀ ଯୋଗଦେଇ ସରକାର ତାଙ୍କ ପୂର୍ବ ଘୋଷଣାକୁ ବିନା ଟାଳଟୁଳ ନୀତିରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ସମିତିର ଆବାହକ ମଣ୍ଡଳିର ସଦସ୍ୟଗଣ ଯଥା ରାଜେଶ ବଗର୍ତ୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଆଶିଷ ପାଣ୍ଡେ, ସନ୍ଦୀପ ବାଗ, ନୀଳମଣି ଯୋଷୀ ଏବଂ ଚାଷୀନେତା ମଧୁସୂଦନ କ୍ଷେତୀ, ପ୍ରିତମ ଠାକୁର, ପ୍ରଦ୍ୟୁମ୍ନ ବାବୁ, ପିଣ୍ଟୁ ସେଠ୍‌ ଓ ସୁଧିର ପଟେଲ ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ଉପେକ୍ଷା ଓ ପ୍ରତାରଣାକୁ ଦୃଢ ନିନ୍ଦା କରିବା ସହ ଚାଷୀଙ୍କ ଧର୍ଯ୍ୟର ପରୀକ୍ଷା ନ ନେବାକୁ ସରକାରଙ୍କୁ ଚେତାବନୀ ଦେଇଥିଲେ । ଏ ସମ୍ବନ୍ଧରେ ଏକ ୪ ଦଫା ସମ୍ବଳିତ ଦାବୀପତ୍ର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଶେଷରେ ରାଜେଶ ବଗର୍ତ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

yuvodaya
Leave A Reply

Your email address will not be published.