ପଦ୍ମପୁର ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ଏକ ଜୀବନ ରକ୍ଷାକାରୀ ଅଭିଯାନ ‘ସ୍ୱେଚ୍ଛାକୃତ ରକ୍ତଦାନ ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଯୁବ ରେଡକ୍ରସ୍, ରେଡ୍ ରିବନ୍ କ୍ଲବ୍ ଏବଂ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶ ଉଦ୍‌ଘାଟନ କରିବା ସହ ଏହାର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିଲେ । ମୁମୂର୍ଷୁ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଶ୍ରେଷ୍ଠଦାନ ବୋଲି ଅଭିହିତ କରି ସେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପଦ୍ମପୁର ଓଡ଼ିଶା ରକ୍ତକେନ୍ଦ୍ରର ବୈଷୟିକ ଅଧିକାରୀ ନୀତେଶ ପ୍ରଧାନ ଏବଂ ପରୀକ୍ଷାଗାର ପ୍ରଶିକ୍ଷାର୍ଥୀ ହିତେଶ କୁମାର ସାହୁଙ୍କ ଦ୍ୱାରା ସମୁଦାୟ ୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଶିବିରକୁ ସୂଚାରୁ ରୂପେ ପରିଚାଳନା କରିବାରେ ଅଧ୍ୟାପକ ପ୍ରମୋଦ କୁମାର ପାଣିଗ୍ରାହୀ, ବିଶ୍ୱରାଜ ପାତ୍ର, ଦୟାନିଧି ବଗର୍ତ୍ତୀ, ବାଳଗୋପାଳ ମେହେର, ନିର୍ମଳ କୁମ୍ଭାର, ଅନନ୍ତ ମଲ୍ଲିକ, ତନ୍ମୟ ଶିକା ଏବଂ ସୌମ୍ୟରଞ୍ଜନ ପଣ୍ଡା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ସେହିପରି ଅଧ୍ୟାପିକା ବୁନି ସାହୁ, ମୋନାଲିସା ସ୍ୱାଇଁ, ମମତାମୟୀ ଗୁରୁ ଏବଂ କାର୍ଯ୍ୟାଳୟ ସହାୟକ ଲକ୍ଷ୍ମଣ ପାଣ୍ଡେଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ଓ ସାମାଜିକ ସେବାର ରୂପ ନେଇଥିଲା । ଓଡ଼ିଆ ଭାଷା ଓ ଜାତିର ଉତ୍ସବ ମଧ୍ୟରେ ମାନବିକତାର ଏହି ନିଦର୍ଶନ ମହାବିଦ୍ୟାଳୟ ପରିସରରେ ଏକ ନୂତନ ପ୍ରେରଣା ସୃଷ୍ଟି କରିଛି ।

Leave A Reply

Your email address will not be published.