ବଲାଙ୍ଗିରରେ ନୀତି, ଅନୀତି ଓ ରାଜନୀତିକୁ ନେଇ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ନୀତି, ଅନୀତି ଓ ରାଜନୀତି ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରରେ ଅତିଥି ରୂପେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ମୁଖ୍ୟବକ୍ତା ରୂପେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ବକ୍ତା ରୂପେ ଯୁବନେତା, ଭଟଲି ବିଧାୟକ ଇରାଶିଷ ଆଚାର୍ୟ୍ୟ, ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା, ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ତଥା ବକ୍ତାମାନେ ନୀତି, ଅନୀତି ଓ ରାଜନୀତି ନେଇ ନିଜର ବକ୍ତବ୍ୟ ରଖିଥିବା ବେଳେ ନିୟମ, ସଞ୍ଜମ, ଶୃଙ୍ଖଳା, ସଦ ବିଚାର, ସୁସ୍ଥ ବିଚାର, ସୁଶାସନ, ଶାନ୍ତି ଓ ପ୍ରଗତି ହିଁ ନୀତି ହୋଇଥିବା ବେଳେ ଅଧର୍ମ, ଅନ୍ୟାୟ, ଶୋଷଣ ଦୁର୍ନୀତି ହେଉଛି ଅନୀତି ବୋଲି ବକ୍ତାମାନେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେହିପରି ନୀତି ଦ୍ଵାରା ରାଜନୀତି ପରିଚାଳିତ ହେଲେ ସମାଜ ଓ ରାଷ୍ଟ୍ରର ମଙ୍ଗଳ ସମ୍ଭବ ବୋଲି କହିଥିଲେ । ପ୍ରାକ୍ ସ୍ୱାଧୀନତା ଠାରୁ ସାମ୍ପ୍ରତିକ ସମୟ ମଧ୍ୟରେ ନୀତି, ଅନୀତି ଓ ରାଜନୀତିକୁ ଅନେକ ଯୁକ୍ତି ଉପସ୍ଥାପନା କରିଥିଲେ ବକ୍ତାମାନେ । ଏକ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ସଚେତନ ହେଲେ ପରିବାରବାଦ, ରାଜନୀତିର ବିଲୟ ସମ୍ଭବ, ବିକାଶ ପ୍ରକ୍ରିୟାର ଶେଷଧାଡ଼ିରରେ ଥିବା ବ୍ୟକ୍ତି ପ୍ରଶ୍ନ ଉତ୍ଥାପନ କଲେ, ରାଜନୀତି ଦୁର୍ନୀତି ମୁକ୍ତ ହେଲେ ନୀତି ସମ୍ଭବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ, ନବୀନ ପଶାୟତ, ଦୀପକ ସମାଜଦାର, ପ୍ରଭାନ ଜିତ୍ ସିଂହ ସାଲୁଜା, ସଦାଶିବ ସରାଫଙ୍କୁ ପ୍ରମୁଖଙ୍କୁ ସ୍ୱର୍ଗତ ଶଙ୍କର ପ୍ରସାଦ ମିଶ୍ର, ସ୍ୱର୍ଗତ ଉତମା ନାଏକ, ସ୍ୱର୍ଗତ ବାଳକୃଷ୍ଣ ହୋତା, ସ୍ୱର୍ଗତ କୈଳାସ ସାହୁ, ସ୍ୱର୍ଗତ ରାମ କୁମାର ଅଗ୍ରୱାଲ ସ୍ମୁତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମକୁ ସାଧାରଣ ସମ୍ପାଦକ ଅଭୟ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ହରି ନାରାୟଣ ପୁଝାରୀ, ନରେଶ ସାହୁ, ଶରତ ଚନ୍ଦ୍ର ମିଶ୍ର, ଘଟେଶ୍ୱର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୁଧିର ପଣ୍ଡା, ସୁବାଷ ପଣ୍ଡା, କାର୍ୟ୍ୟକାରୀ ସଭାପତି ଅନୀଲ କୁମାର ତ୍ରିପାଠୀ, ସଞ୍ଜୟ ବେହେରା, ସଞ୍ଜୟ ନାୟକ, ଅଞ୍ଜନ ପଧାନ, ଦିଲୀପ ମେହେର, ଗୁପ୍ତେଶ୍ୱର ପୃଷ୍ଟି, ଭଗବାନ ମହାନ୍ତି, ବଣ୍ଟି ଅଗ୍ରୱାଲ, ରଶ୍ମି ରଞ୍ଜନ ପୁଟେଲ, ନରେନ୍ଦ୍ର ଭୋଇ, ଉମାକାନ୍ତ ପ୍ରଧାନ, ସତ୍ୟପ୍ରିୟ ମିଶ୍ର, ଦିଲୀପ ଭୋଇ, ସଚି ବଗର୍ତ୍ତିଙ୍କ ସମେତ ସହରର ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଶେଷରେ ସଭାପତି ପ୍ରଦୀପ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.