ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରୀସେବା ଯୋଗାଇଦେବା ରେଳବାଇର ପ୍ରାଥମିକତା : ଅଶ୍ୱିନୀ ବୈଷ୍ଣବ

  • ଦୁର୍ଘଟଣା ହ୍ରାସ ଓ ରେକର୍ଡ ମାଲପରିବହନ ପାଇଁ ରେଳ ପରିବାରକୁ ରେଳମନ୍ତ୍ରୀଙ୍କ ଅଭିନନ୍ଦନ
  • ରେଳଷ୍ଟେସନ ରେଳବାଇର ମୁଖଶାଳା ସ୍ୱଚ୍ଛତା ପାଇଁ ସମର୍ପିତ ପ୍ରୟାସ ନିମନ୍ତେ ରେଳମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ରେଳଭବନରେ ସାରା ଦେଶର ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି, ଗରିବ ଏବଂ ମଧ୍ୟମବର୍ଗଙ୍କୁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନକରିବା ଭାରତୀୟ ରେଳବାଇର ସର୍ବୋଚ୍ଚ ପ୍ରାଥମିକତା ହୋଇରହିଛି। ଏହି ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ କାର୍ୟ୍ୟ କରିବାଲାଗି ସେ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ।
ବୈଷ୍ଣବ ମଧ୍ୟ ସମଗ୍ର ରେଳବାଇ ପରିବାରକୁ ଗତବର୍ଷ ସେମାନଙ୍କର ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ରେଳ ଦୁର୍ଘଟଣାରେ ଐତିହାସିକ ହ୍ରାସ ଏବଂ ରେକର୍ଡ ସଂଖ୍ୟକ ମାଲପରିବହନ ଯୋଗୁଁ ସାରାଦେଶରେ ଭାରତୀୟ ରେଳବାଇର ଭାବ ମୂର୍ତ୍ତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି । ପର୍ବପର୍ବାଣୀ ସମୟରେ ବହୁ ସଂଖ୍ୟକ ସ୍ୱତନ୍ତ୍ର ଟ୍ରେନର ପ୍ରଭାବୀ ପରିଚାଳନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ, ଯାହା ଯାତ୍ରାର ବର୍ଦ୍ଧିତ ଚାହିଦାକୁ ପୂରଣ କରିବାରେ ସହାୟକ ହୋଇଥିଲା। ଯାତ୍ରୀଙ୍କ ଅଭିଜ୍ଞତାର ଗୁରୁତ୍ୱ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ରେଳଷ୍ଟେସନ ଗୁଡ଼ିକ ଜନସାଧାରଣଙ୍କ ସମ୍ମୁଖରେ ଭାରତୀୟ ରେଳବାଇର ଚେହେରା ଏବଂ ଏହାକୁ ସ୍ୱଚ୍ଛ ତଥା ଭଲ ଭାବେ ରକ୍ଷଣାବେକ୍ଷଣ କରାଯିବା ଆବଶ୍ୟକ। ସମସ୍ତ ଷ୍ଟେସନରେ ସ୍ୱଚ୍ଛତା ଏବଂ ଉନ୍ନତ ଯାତ୍ରୀ ସୁବିଧା ସୁନିଶ୍ଚିତ କରିବାପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ କାର୍ୟ୍ୟ କରିବାକୁ ସେ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ଗତ ଦଶନ୍ଧି ମଧ୍ୟରେ ରେଳବାଇର ଆଧୁନିକୀକରଣ ପାଇଁ ରେକର୍ଡ ଆବଣ୍ଟନ ବିଷୟରେ ଉଲ୍ଲେଖ କରି ସେ ଗୁରୁତ୍ୱାରୋପ କରି କହିଥିଲେ, ରେଳଷ୍ଟେସନ ଗୁଡ଼ିକର ପରିବର୍ତ୍ତନ ଏବଂ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଅଧିକାରୀମାନେ ପାଣ୍ଠିର ସର୍ବୋତ୍ତମ ଉପଯୋଗ ସୁନିଶ୍ଚିତ କରିବା ଆବଶ୍ୟକ।
କେନ୍ଦ୍ରମନ୍ତ୍ରୀ କହିଥିଲେ, ଭିଡ଼ ପରିଚାଳନା, ବିଶେଷ କରି ପର୍ବପର୍ବାଣୀ ସମୟରେ, ଏହା ସୁନିଶ୍ଚିତ କରିବା ଉଚିତ ଯେ ଯାତ୍ରୀମାନେ ଯେପରି ସୁଗମଭାବେ ଓ ବିନା ବାଧାରେ ପ୍ଲାଟଫର୍ମରେ ପହଞ୍ଚି ପାରିବେ ଏବଂ ଟ୍ରେନରେ ଚଢି ପାରିବେ। ଯାତ୍ରୀଙ୍କ ସୁବିଧା ଏବଂ ସୁଗମ୍ୟତାରେ ଉନ୍ନତି ଆଣିବା ପାଇଁ ଆବଣ୍ଟିତ ପାଣ୍ଠିର ଉପଯୋଗକୁ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପ୍ରତି ଜାରି ରହିଥିବା ରେଳ ପ୍ରକଳ୍ପ ପାଇଁ ବିଚାରାଧୀନ ଜମି ଅଧିଗ୍ରହଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶ୍ରୀ ବୈଷ୍ଣବ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବଶ୍ୟକ ହୁଏ, ତେବେ ପ୍ରତିବନ୍ଧକକୁ ଦୂର କରିବା ପାଇଁ ରାଜ୍ୟ ରାଜସ୍ୱ ଏବଂ ଜଙ୍ଗଲ ବିଭାଗର ଅଭିଜ୍ଞ ଅବସର ପ୍ରାପ୍ତ ଅଧିକାରୀଙ୍କ ଠାରୁ ମତାମତ ଗ୍ରହଣ କରନ୍ତୁ।
ରେଳ ଟ୍ରାକ୍ନିକଟରେ ରହୁଥିବା ଲୋକଙ୍କ ସମ୍ବେଦନଶୀଳ ପ୍ରସଙ୍ଗକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଉଚିତ ନୁହେଁ। ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ଏଭଳି ସମସ୍ୟାର ସମାଧାନ ପାଇଁ ମାନବିକ ଏବଂ ସମ୍ବେଦନ ଶୀଳ ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ରେଳ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଅନେକ ସହରାଞ୍ଚଳରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ଏହାର ସମୟୋଚିତ ଏବଂ ସହାନୁଭୂତିଶୀଳ ସମାଧାନର ଆବଶ୍ୟକତା ରହିଛି।
ଏହି ବୈଠକରେ ରେଳ ଅଣ୍ଡର ପାସ ନିର୍ମାଣ ସଂକ୍ରାନ୍ତରେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିର ମଧ୍ୟ ସମୀକ୍ଷା କରାଯାଇଥିଲା। ଏହା ନିଷ୍ପତ୍ତି ନିଆଯାଇଥିଲା ଯେ, ଯେଉଁଠାରେ ସମ୍ଭବ, ଷ୍ଟେସନ ପରିସର ମଧ୍ୟରେ ଏବଂ ବାହାରେ ରେଳଟ୍ରାକ ଅତିକ୍ରମ କରିବା ପାଇଁ ପାଦଚଲା ଓଭରବ୍ରିଜ ଉପରେ ସୁବିଧା ଜନକ ଓ ସୁଗମ ଅଣ୍ଡର ପାସକୁ ପ୍ରାଥମିକତା ଦିଆଯିବ। ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଅଣ୍ଡରପାସ ଗୁଡ଼ିକ ଅଧିକ ବ୍ୟବହାର ଅନୁକୂଳ ଏବଂ ଜନ ସାଧାରଣଙ୍କ ଦ୍ୱାରା ଅଧିକ ଥର ବ୍ୟବହାର ହେବାର ସମ୍ଭାବନା ରହିଛି।
ଏହିପରି ଅଣ୍ଡର ପାସ ନିର୍ମାଣ ପାଇଁ ଦେଶର ବିଭିନ୍ନ ଭାଗରେ ପାଇଲଟ ପ୍ରକଳ୍ପ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା। କେବଳ ପଥଚାରୀଙ୍କ ପାଇଁ ନୁହେଁ, ସାଇକେଲ, ସ୍କୁଟର ଏବଂ ମୋଟର ସାଇକେଲ ପାଇଁ ମଧ୍ୟ ଯାତାୟାତକୁ ସହଜ କରିବା ଲାଗି ଏଗୁଡ଼ିକର ପରିକଳ୍ପନା କରାଯିବ ଏବଂ କେତେକ କ୍ଷେତ୍ରରେ, ବ୍ୟାପକ ଢାଞ୍ଚା ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଯାନର ଗତିବିଧିକୁ ଅନୁମତି ଦେବ। ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଡିଜାଇନ ପ୍ରସ୍ତୁତ କରାଯିବ।
ସମୟାନୁବର୍ତ୍ତୀ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାରେ ଜୋନ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ କେନ୍ଦ୍ର ରେଳମନ୍ତ୍ରୀ ପ୍ରଶଂସା କରିଥିଲେ। ଉଚ୍ଚସ୍ତରର ସମୟାନୁବର୍ତ୍ତୀତା ବଜାୟ ରଖିଥିବା ଜୋନ ଗୁଡ଼ିକୁ ସେ ଅଭିନନ୍ଦନ ଜଣାଇଥିଲେ ଏବଂ ପରିଚାଳନା ଗତ ଆହ୍ୱାନ ସତ୍ତ୍ୱେ ୮୫%ରୁ ଅଧିକ ସମୟନୁବର୍ତ୍ତିତା ସୁନିଶ୍ଚିତ କରି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିଥିବା ଜୋନ ଗୁଡ଼ିକୁ ବିଶେଷଭାବେ ପ୍ରଶଂସା କରିଥିଲେ।
ଶ୍ରୀ ବୈଷ୍ଣବ ଦୋହରାଇଥିଲେ ଯେ ନିରନ୍ତର ପ୍ରୟାସ, ଦକ୍ଷଯୋଜନା ଏବଂ ଯାତ୍ରୀ କୈନ୍ଦ୍ରିକ ଆଭିମୁଖ୍ୟ ସହିତ ଭାରତୀୟ ରେଳବାଇ ସାରାଦେଶରେ ଯାତ୍ରୀ ମାନଙ୍କ ପାଇଁ ସୁରକ୍ଷା, ସେବାର ଗୁଣବତ୍ତା ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବା ଜାରି ରଖିବ।
ଅନ୍ୟ ପକ୍ଷରେ ଓଡ଼ିଶାର ଗୋଟିଏ ଇଞ୍ଚ ସୁଦ୍ଧା ରେଳଟ୍ରାକ୍ ଅନ୍ୟ ରାଜ୍ୟକୁ ଯିବ ନାହିଁ ବୋଲି ରେଳମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଓଡ଼ିଶାରେ ରେଳ ବିକାଶ ଲାଗି ୯୩,୦୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। ରେଳ ବଜେଟ୍ ଆବଣ୍ଟନ ଉଲ୍ଲେଖନୀୟ ଭାବେ ବୃଦ୍ଧିପାଇଛି (ଗତ ୩ ବର୍ଷ ଧରି କ୍ରମାଗତ ଭାବେ ୧୦,୦୦୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର)।ରାୟଗଡା ଡିଭିଜନକୁ ମଞ୍ଜୁରୀ ଦିଆଯାଇଛି ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ।ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ କେକେଲାଇନ : କୋଠାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନ ଅଧୀନରେ ରହିଛି। ତେଣୁ ପୂର୍ବତଟ ରେଳପଥ, ଭୁବନେଶ୍ୱରର କୌଣସି ରାଜସ୍ୱ କ୍ଷତି ହେବନାହିଁ। ପଲାସା – ଇଚ୍ଛାପୁରମ ସେକ୍ସନରେ କୌଣସି ପ୍ରମୁଖ ମାଲ ପରିବହନ ରାଜସ୍ୱ ଉପାର୍ଜନକାରୀ ଷ୍ଟେସନ ନାହିଁ। ତେଣୁ ପୂର୍ବତଟ ରେଳପଥର ରାଜସ୍ୱ କ୍ଷତି ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି ।

Leave A Reply

Your email address will not be published.