ନୂଆଦିଲ୍ଲୀ, (ପିଆଇବି) : ଆଫଗାନିସ୍ତାନରେ ଲାଲନ୍ଦର (ଶତୁତ) ଡ୍ୟାମ ନିର୍ମାଣ ପାଇଁ ବୁଝାମଣା (ଏମଓୟୁ) ସ୍ଵାକ୍ଷରିତ ସମାରୋହ ଫେବୃଆରୀ ୦୯, ୨୦୨୧ରେ ଭିଟିସି ମାଧ୍ୟମରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ ଘନିଙ୍କ ଉପସ୍ଥିତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମିଷ୍ଟର ହନିଫ ଆତ୍ମର ଏହି ବୁଝାମଣାରେ ସ୍ଵାକ୍ଷର କରିଥିଲେ ।
ଏହି ପ୍ରକଳ୍ପ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ନୂତନ ଭାଗିଦାରୀର ଏକ ଅଂଶ । ଲାଲନ୍ଦର (ଶତୁତ) ଡ୍ୟାମ କାବୁଲ ସହରରେ ସ୍ଵଚ୍ଛ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ସହିତ ନିକଟବର୍ତ୍ତୀ ଅଞ୍ଚଳକୁ ଜଳସେଚନ ପାଇଁ ଜଳ ଯୋଗାଇବ ଓ ବର୍ତ୍ତମାନର ଜଳସେଚନ ଏବଂ ଡ୍ରେନେଜ ପ୍ରଣାଳୀକୁ ପୁନଃ ଥଇଥାନ କରିବାରେ ମଧ୍ୟ ସହାୟକ ହେବ । ଏଥି ସହିତ ଏହି ଅଞ୍ଚଳକୁ ବନ୍ୟା ସୁରକ୍ଷା ତଥା ପରିଚାଳନା ଦିଗରେ ସାହାଯ୍ୟ କରିବ ଓ ଏହି ଅଞ୍ଚଳକୁ ବିଦ୍ୟୁତ ଶକ୍ତି ମଧ୍ୟ ଯୋଗାଇବ ।
ଭାରତ-ଆଫଗାନିସ୍ତାନ ବନ୍ଧୁତ୍ଵର ନିଦର୍ଶନ : ସଲମା ଡ୍ୟାମ ଜୁନ୍ ୨୦୧୬ରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା ଉଦ୍ଘାଟିତ ହେବା ପରେ ଏହା ଦ୍ୱିତୀୟ ପ୍ରମୁଖ ଡ୍ୟାମ ହେବ । ଆଫଗାନିସ୍ତାନର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସହଭାଗୀତା ଦିଗରେ ଭାରତର ଦୃଢ ଓ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ଏହି ଲାଲନ୍ଦର (ଶତୁତ) ଡ୍ୟାମ ବୁଝାମଣା ସ୍ଵାକ୍ଷରିତ ହୋଇଛି ।ଆଫଗାନିସ୍ତାନ ସହିତ ଆମର ବିକାଶ ସହଯୋଗର ଏକ ଅଂଶ ଭାବରେ ଆଫଗାନିସ୍ତାନର ସମସ୍ତ ୩୪ ଟି ପ୍ରଦେଶ ମଧ୍ୟରେ ୪୦୦ରୁ ଅଧିକ ପ୍ରକଳ୍ପ ଭାରତ ସମାପ୍ତ କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର, ସମୃଦ୍ଧ ତଥା ବିକଶିତ ଆଫଗାନିସ୍ତାନ ନିର୍ମାଣ ଲାଗି ଭାରତର ନିରନ୍ତର ସମର୍ଥନକୁ ନିଶ୍ଚିତ କରିଛନ୍ତି ।