ଜଙ୍ଗଲ ନିଆଁ ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ଡ଼ିଏଫ୍‌ଓ ଯଶୋବନ୍ତ ସେଠିଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ନିଆଁ ନିବାରଣ ନେଇ ବିଭିନ୍ନ ଆଦିବାସୀ ବହୁଳ ଗ୍ରାମାଞ୍ଚଳରେ ଓଡ଼ିଆ ଓ ସାଦ୍ରୀ ଭାଷାରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଉଛି । ଯାହାଦ୍ୱାରା ସ୍ଥାନୀୟ ଲୋକେ ସହଜରେ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ବୁଝି ପାରୁଛନ୍ତି । କଳାକାର ବାପି ପଲାଇ, ରଶ୍ମିତା ବିଷୋୟୀ, ଅଭିପ୍ସା ପ୍ରମୁଖ ସୁନ୍ଦର ଅଭିନୟ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରୁଛନ୍ତି । ପାନପୋଷ, ବିଶ୍ରା, ବାଙ୍କୀ, ବୀରମିତ୍ରପୁର, କୁଆଁରମୁଣ୍ଡା ଓ ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ସହ ସଚେତନତା ସଭା ଅନୁଷ୍ଠିତ ହେଊଛି । ଆଜି ରଜାମୁଣ୍ଡାର ସାଲେଇପଲ୍ଲୀ ହାଟ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଫରେଷ୍ଟର ଏଚ୍‌. ସି. ଜେନା, ଫରେଷ୍ଟ ଗାର୍ଡ ଏସ୍‌.ଏସ୍‌. ଡାଙ୍ଗ, ସ୍କ୍ୱାଡର଼୍ ସାଗର କୁମ୍ଭାର ଏବଂ ମା’ ବୈଷ୍ଣବ ଦେବୀ ମନ୍ଦିର ତଳଛକରେ ଆୟୋଜିତ କାର୍ଯ୍ୟକ୍ରମରେ ଫରେଷ୍ଟର ରୀତାଞ୍ଜଳି ଶତପଥି ଓ ବିଜୟ କଲେର, ଫରେଷ୍ଟଗାର୍ଡ ସଂଗ୍ରାମ ବାରିକ ଓ ଗୀତାଞ୍ଜଳି ଏକ୍କା, ଫରେଷ୍ଟ ସ୍କ୍ୱାଡର଼୍ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ । ସେହିପରି ପିଏମ୍‌ଶ୍ରୀ ଆର.ଇ.ସି କ୍ୟାମ୍ପସ ହାଇସ୍କୁଲ ଓ ଝିରିପାଣି ବାଜ଼ାର ନିକଟରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧମୁଣ୍ଡା ଫରେଷ୍ଟଗାର୍ଡ ମଞ୍ଜୁ ସୁନାନୀ ଉପସ୍ଥିତ ଥିଲେ । ୱାଇ.ଏମ୍‌.ଏଫ୍‌.ଆଇର ସାଧାରଣ ସମ୍ପାଦକ ବିବେକ ଦାସଙ୍କ ସଂଯୋଜନାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ଜଙ୍ଗଲ ନିଆଁ ଯୋଗୁଁ ଜୈବ ବିବିଧତା ହ୍ରାସ ପାଇବା, ମୂର୍ତ୍ତିକା କ୍ଷୟ ହେବା, ଜଳ ସଙ୍କଟ ଓ ବାୟୁ ପ୍ରଦୂଷଣ ହେବା ଓ ଏହା ଯୋଗୁଁ ମାନବ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଏଣୁ ଶୁଖିଲା ପତ୍ରରେ ନିଆଁ ନଲଗାଇବା, ଯଦି କେଉଁଠି ବନାଗ୍ନୀ ଘଟେ ତାହାକୁ ଲିଭାଇବା ଓ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି । ବିଶେଷ କରି ମହୁଲ ସଂଗ୍ରହ ପାଇଁ ଗଛ ଚାରିପଟେ ପଡ଼ିଥିବା ଶୁଖିଲା ପତ୍ରରେ ନିଆଁ ନଲଗାଇବାକୁ ନିବେଦନ କରାଯାଉଛି । ପଥପ୍ରାନ୍ତ ନାଟକ ସହ ରୋଡ଼ ସୋ, ରାଲି ଓ ସଭାମାନ କରାଯାଉଛି । କେତେକ ସ୍ଥାନରେ ଅଞ୍ଚଳବାସୀ ଜଙ୍ଗଲ ସୁରକ୍ଷା ନେଇ ଶପଥ ପାଠ କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ଜନସାଧାରଣ ଉପସ୍ଥିତ ରହୁଥିବା ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.