ଶ୍ରଦ୍ଧା ତରଫରୁ ସ୍ୱପରାୟଣତା ସଚେତନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ ଶ୍ରଦ୍ଧା ପକ୍ଷରୁ ବିଶ୍ୱ ଅଟିଜିମ୍ ବା ବିଶ୍ୱ ସ୍ୱପରାୟଣତା ସଚେତନତା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗଗନ ବିହାରୀ ଧଳ ମୁଖ୍ୟଅତିଥି, ଅଭିଭାବକ ସୁମନ୍ତ ସ୍ୱାଇଁ, ଡା. ଆଲୋକ ସାହୁ, ଡା. ସ୍ମୃତି ଝା ଓ ଅନୁଷ୍ଠାନର ପ୍ରମୁଖ ରିନୁଲତା ମହାରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ଥିମ୍ ସ୍ୱପରାୟଣତା ଏବଂ ମାନବିକତା, ପ୍ରତ୍ୟେକ ଜୀବନର ମୂଲ୍ୟ ଅଛି ସମ୍ପର୍କରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗଙ୍କୁ ସମାଜ ତଥା ସାମାଜିକ କାର୍ଯ୍ୟକ୍ରମରେ ସାମିଲ୍ କରି ମୁଖ୍ୟସ୍ରୋତକୁ ଆଣିବା, ସେମାନଙ୍କ ମାନସିକ ବିକାଶ, ମାନବିକତା, ଧୈର୍ଯ୍ୟ ଓ ସାମୁହିକ ମିଳିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସେହିପରି ସମ୍ପ୍ରତି ଚାଲିଥିବା ଜନଗଣନାରେ ପରିବାରରେ ଥିବା ଦିବ୍ୟାଙ୍ଗଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଥିଲା । ଡାକ୍ତର ଶ୍ରୀ ସାହୁ ଓ ଡାକ୍ତର ଝା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଦିବ୍ୟାଙ୍ଗଙ୍କ ମାନସିକ ଓ ଶାରିରୀକ ପରିବର୍ତ୍ତନ ପାଇଁ ଅଭିଭାବକ ତଥା ସମସ୍ତଙ୍କ ଦାୟିତ୍ଵ ଉପରେ ବକ୍ତବ୍ୟ ରଖିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପାଣ୍ଡବ ଏହି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ମଞ୍ଚ ସଂଯୋଜନା କରିଥିଲେ । ଟିପିଡବ୍ଲୁଓଡିଏଲ୍ ସହାୟତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ମହାରଣା, ସୁଜାତା ରାଉତ, ଅର୍ଚ୍ଚନା ମିଞ୍ଜ, ଗଗନ ମହାନ୍ତି, ସୁକୁମାର ପାଣ୍ଡବ, ସୌଦାମିନୀ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ବହୁ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

Leave A Reply

Your email address will not be published.