ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁରର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ସୁଶ୍ରୀ ପ୍ରୀତି ସୁନା । ସେ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀଙ୍କ ଠାରୁ ଆଜି ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଶ୍ରୀ ସୁନା ଓଡିଶା ସୂଚନା ସେବାରେ ଗତ ନଭେମ୍ବର ମାସ ୨୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟାଳୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ଯୋଗ ଦେଇଥିଲେ । ସୁଶ୍ରୀ ସୁନା ପ୍ରଥମେ ଦୀର୍ଘ ଦିନଧରି ସାମ୍ବାଦିକତା କ୍ଷେତ୍ରରେ କାମକରି ଇଂରାଜୀ ଖବର କାଗଜ ଟାଇମସ ଅଫ ଇଣ୍ଡିଆ, ଭୁବନେଶ୍ୱର ସଂସ୍କରଣରେ ୨ ବର୍ଷ କାମ କରିଥିବାବେଳେ ତା ପୂର୍ବରୁ ୩ ବର୍ଷ ପଶ୍ଚିମ ଓଡ଼ିଶାର ଏକ ୱେବ ଚ୍ୟାନେଲ ‘ପହରା’ରେ ସମ୍ବଲପୁରର ରିପୋର୍ଟର ଭାବରେ ବେଶ୍ ପାରଦର୍ଶିତା ଲାଭ କରିଥିଲେ । ସେ ମଧ୍ୟ୨୦୨୦ ମସିହାରେ ପଣ୍ଡିଚେରୀ ସେଣ୍ଟ୍ରାଲ ୟୁନିଭରସିଟିରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ସ୍ନାତକୋତ୍ତର ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ସଠିକ ସରକାରୀ ସୂଚନା ପହଞ୍ଚାଇବା ଏବଂ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ଅବଗତ କରାଇବା ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ।