ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଖବର ଅନୁସାରେ, ମଙ୍ଗଳବାର ରାତିରେ ଷ୍ଟାଫ୍ କ୍ୱାର୍ଟରେ ଦମୟନ୍ତୀ ବାରିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଶୋଇଥିବା ଘରେ ସେ ପୋଡ଼ି ଯାଇ ମୃତ୍ୟୁ ହୋଇଥିଲା । ତେବେ ବଲାଙ୍ଗିର ସଦର ଏସଡିପିଓ ସରୋଜ ଉପାଧ୍ୟାୟ ଘଟଣାକୁ ନେଇ କହିଛନ୍ତି ଯେ, ଏଏନଏମ ମହିଳାଙ୍କୁ ତାଙ୍କ ସ୍ୱାମୀ ଉପେନ୍ଦ୍ର କାଲସାଏ (୬୦) ପିଟିପିଟି ମାରି ଦେଇଥିଲେ ଏବଂ ଏହା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏହି ସମୟରେ ସେ ନିଜେ ମଧ୍ୟ ପୋଡି ଯାଇଥିଲେ । ମୃତ ଏଏନଏମଙ୍କ ସ୍ୱାମୀ ମଧ୍ୟ ପୋଡିଯାଇ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଏଏନଏମଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ପୋଲିସ ସାଇଣ୍ଟିଫିକ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାମଚନ୍ଦ୍ରପୁର ସରକାରୀ କ୍ୱାର୍ଟରରେ ସ୍ୱାମୀ ସ୍ତ୍ରୀ ରହୁଥିବା ବେଳେ ପୁଅ ଝିଅ ବାହାରେ ରହି ପଢ଼ୁଥିବା ଜଣାପଡ଼ିଛି । ପାରିବାରିକ କଳହରୁ ଏହି କାଣ୍ଡ ଘଟିଥିବା କୁହାଯାଉଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।