ବେଲଘର ଜଙ୍ଗଲରେ ପୋଲିସ-ମାଓବାଦୀ ମୁହାଁମୁହିଁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳରେ ପୁଲିସ ଓ ମାଓବାଦୀ ପୁଣି ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡ଼ିବନ୍ଧ ବ୍ଲକ୍‌ ବେଲଘର ଜଙ୍ଗଲ ନିକଟ ଉଷାବାଲି, ଗୁଦଗୁଦା ଓ ଗୁଚୁକା ଜଙ୍ଗଲରେ ମଧ୍ୟାହ୍ନ ସମୟରେ ଗୁଳି ବିନିମୟ ଶବ୍ଦ ଶୁଣିବାକୁ ମିଳିଛି । ଲଙ୍କାଗଡ଼-ମୁଣ୍ଡିଗଡ଼-ବେଲଘର-ଗୁମା ଜଙ୍ଗଲକୁ ସଂଯୋଗ କରୁଥିବା ପାହାଡ଼ ନିକଟରେ ବହୁ ସମୟ ଧରି ଗୁଳି ବିନିମୟ ଚାଲିଛି । ପୁଲିସ ଆଡୁ ଏ ନେଇ କୌଣସି ସୂଚନା ମିଳିନାହିଁ । ତେବେ ନିକଟସ୍ଥ ଅଞ୍ଚଳବାସୀ ଗୁଳି ବିନିମୟ ଚାଲିଥିବା ଓ ରହିରହି ଗୁଳି ଶବ୍ଦ ଶୁଣାଯାଉଥିବା କହିଛନ୍ତି । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡ଼ିଛି । ପ୍ରକାଶ ଯେ, କିଛିଦିନ ତଳେ ସିର୍କି ଜଙ୍ଗଲରେ ପୁଲିସ ଗୁଳିରେ ମାଓବାଦୀ ପ୍ରାଣ ହରାଇବା ପରେ ପ୍ରତିଶୋଧ ପରାୟଣ ହୋଇଥିବା ଲାଲ୍‌ବାହିନୀ ଏବେ ବେଲଘର ଜଙ୍ଗଲ ଛାଡ଼ୁନାହାନ୍ତି । ବେକ କାଟି ଓ ଗୁଳି କରି ଦୁଇ ଜଣଙ୍କୁ ହତ୍ୟା କରିଥିଲେ । ପୁଲିସର ଲଗାତାର କମ୍ବିଂ ଅପରେସନ୍‌ ସତ୍ତ୍ବେ ଆଖପାଖରେ ଘୂରି ବୁଲି ଆତଙ୍କ ଚଳାଇଛନ୍ତି । ଗତ ଜାନୁଆରି ମାସରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ତିନିଥର ମୁହାଁମୁହିଁ ହେଲାଣି । ବହୁ ଗୁଳିଗୋଳା ଓ ମାଓ ସଂପର୍କିତ ସାମଗ୍ରୀ ଜବତ ହୋଇଛି । ଏଥିରେ ମୋଷ୍ଟୱାଣ୍ଟେଡ଼ ମାଓ ନେତା ଦସୁର ଦୁଇ ଥର ଖସିଯାଇଥିବା ସୂଚନା ମିଳିଥିଲା । ହେଲେ ସିର୍କି ଜଙ୍ଗଲରେ ପୁଲିସ ଗୁଳିରେ ମାଓ କ୍ୟାଡର ପ୍ରାଣ ହରାଇବା ପରେ ପ୍ରତିଶୋଧ ପରାୟଣ ହୋଇଥିବା ଲାଲବାହିନୀ ଗତମାସ ୨୯ ତାରିଖରେ ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଦୁଇ ଯୁବକଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ଏପରିକି ଏକ ବଡ଼ଧରଣର ଅଘଟଣ ପାଇଁ ଜଙ୍ଗଲରୁ ଜଙ୍ଗଲ ଘୂରି ବୁଲୁଛନ୍ତି । ଏବେ ଭଣ୍ଡରଙ୍ଗି, ଝିରିପାଣି ଓ ଲଙ୍କାଗଡ଼‌ରେ ଗ୍ରାମବାସୀ ମାଓ ଭୟରେ ରହିଥିବା ବେଳେ ଦିନସାରା ଆଜି ଗୁଳି ବିନିମୟ ଶବ୍ଦ ଶୁଣି ଆତଙ୍କିତ ହୋଇ ପଡ଼ିଛନ୍ତି ।

Leave A Reply

Your email address will not be published.