ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଗତର ନାଥ ଜଗନ୍ନାଥଙ୍କ ଅପାର କରୁଣାରୁ ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ତଥା ଅଷ୍ଟ ଦେବାଦେବୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବର ପ୍ରଥମ ବାର୍ଷିକ ମହୋତ୍ସବ ଅବସରରେ ୨୪ ପ୍ରହରୀ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ନାମଯଜ୍ଞରେ ଚନ୍ଦ୍ରଶେଖର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସସ୍ମିତା ସାହୁ ତଥା ସୁଶାନ୍ତ ପାଣ୍ଡେ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରୁବିତା ପାଣ୍ଡେ ଯଜ୍ଞକର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । ପୁରୀରୁ ତିନି ଠାକୁରଙ୍କ ପାଇଁ ଖଣ୍ଡୁଆ ପାଟ ଓ ଧ୍ୱଜ ଅଣାଯାଇ ଗଣନାଥ ମହାପାତ୍ର, ଚକ୍ରଧର ମହାପାତ୍ର, ଗୋପାଳକୃଷ୍ଣ ଦାଶ ଓ ସାନନ୍ଦ ମହାପାତ୍ରଙ୍କ ପୌରୋହିତ୍ୟରେ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଏହା ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଗ୍ରାମର ସମସ୍ତ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀ, କୀର୍ତ୍ତନ୍ୟ ମଣ୍ଡଳୀ, କ୍ଲବ, ଫୁଟବଲ୍ ଦଳ, କ୍ରିକେଟ୍ ଦଳଙ୍କ ସହଯୋଗରେ ସୁଚାରୁ ରୂପେ ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏଣିକି ଆସନ୍ତା ସାତବର୍ଷ ଧରି ପ୍ରତିବର୍ଷ ନାମଯଜ୍ଞ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।