ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ଅନନ୍ୟ କେନ୍ଦ୍ର ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷ ମଙ୍ଗଳବାର ଦିନ ନାଟ୍ୟମୟ ହୋଇଉଠିଥିଲା । ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ଆୟୋଜିତ ଏହି ବାର୍ଷିକ ନାଟ୍ୟ ସମାରୋହରେ ଶିକ୍ଷାବିତ୍, କଳାକାର ଓ ଛାତ୍ରଛାତ୍ରୀଙ୍କ ଏକ ଅପୂର୍ବ ସମାଗମ ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ ଯୋଗଦେଇ ନାଟକ କେବଳ ମନୋରଞ୍ଜନ ନୁହେଁ ବରଂ ଜୀବନକୁ ଉପଭୋଗ କରିବାର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାର ଯୋଗଦେଇ ବିଶ୍ୱ ନାଟ୍ୟ ପ୍ରେକ୍ଷାପଟ୍ଟରେ ବୋଡାସମ୍ବର ଅଞ୍ଚଳର ନାଟକ ଇତିହାସ ଓ ଏହାର ସମୃଦ୍ଧ ପରମ୍ପରା ଉପରେ ଆଲୋକପାତ କରିଥିଲେ । ନାଟ୍ୟ ସଂସଦର ସହ ଉପ-ସଭାପତି ଅଧ୍ୟାପିକା ବୁନି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଦୟାନିଧି ବଗର୍ତ୍ତୀ ବିଶ୍ୱ ନାଟ୍ୟ ଦିବସର ଶୁଭେଚ୍ଛା ବାର୍ତ୍ତା ପଠନ କରିଥିଲେ । ସମଗ୍ର ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ଡ. ସସ୍ମିତା ମେହେର । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ସଭା ଶେଷରେ ମୁଖ୍ୟ ଆକର୍ଷଣ ଭାବେ ସୌମ୍ୟରଞ୍ଜନ ନାଏକଙ୍କ ରଚିତ ଓ ଡ. ସରୋଜ କୁମାର ନାଏକଙ୍କ ନିର୍ଦ୍ଦେଶିତ ନାଟକ ‘ମିଟୁର୍ କଥା’ ମଞ୍ଚସ୍ଥ ହୋଇଥିଲା । ଏହି ନାଟକଟି ମହାବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରମାନଙ୍କ ଦ୍ୱାରା ଅତି ଚିତ୍ତାକର୍ଷକ ଭାବେ ଅଭିନୀତ ହୋଇଥିଲା । ବିକ୍ରମ ସାହୁଙ୍କ ସୁନ୍ଦର ମଞ୍ଚ ସଜ୍ଜା ଓ କଳାକାରଙ୍କ ଜୀବନ୍ତ ଅଭିନୟରେ ଦର୍ଶକ ବିଭୋର ହୋଇଯାଇଥିଲେ । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଣ-ଶିକ୍ଷକ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଏହି ଉତ୍ସବଟି ମହାବିଦ୍ୟାଳୟ ପରିସରରେ ଏକ ନିଆରା କଳାତ୍ମକ ବାତାବରଣ ସୃଷ୍ଟି କରିପାରିଥିଲା ।