ତୁରେକେଲାରୁ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ଗାଁର ଅବିନାଶ ଜଗତ ଦାଦନ ଶ୍ରମିକ ଭାବେ କର୍ଣ୍ଣାଟକ ଇଟାଭାଟିରେ କାମ କରୁଥିବା ବେଳେ ସେ ଯଶୋବନ୍ତପୁର ଷ୍ଟେସନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବିନାଶ ଘରକୁ ଫେରିବା ପାଇଁ ଯଶୋବନ୍ତପୁର ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ତାଙ୍କ ପତ୍ତା ମିଳୁ ନ ଥିବା ନେଇ ତାଙ୍କ ମା’ ଶୋଭାଗିନୀ ଜଗତ ତୁରେକେଲା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ତୁରେକେଲା ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ବଡ଼ବାଙ୍କି ଗାଁର ଶ୍ରମିକ ସର୍ଦ୍ଦାର କୁମ୍ଭକର୍ଣ୍ଣ ଦାସ ବଡ଼ବାଙ୍କି ଅବିନାଶ ଜଗତ(୨୬) ଓ ତିଳ ସୁନା (୬୫)ଙ୍କ ସହ ଅନ୍ୟ ଶ୍ରମିକଙ୍କୁ ଇଟାଭାଟିରେ କାମ କରିବାକୁ କର୍ଣ୍ଣାଟକ ପଠାଇଥିଲେ । ଗତ ୨୪ ତାରିଖ ସକାଳ ପ୍ରାୟ ୭ଟାରେ ତିଳ ଓ ଅବିନାଶ ନିଜ ଗାଁ ବଡ଼ବାଙ୍କିକୁ ଟ୍ରେନ ଯୋଗେ ଆସିବା ପାଇଁ ଯଶୋବନ୍ତପୁର ଷ୍ଟେସନ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରିଥିଲେ । କିଛି ଯୁବକ ତିଳଙ୍କୁ କ‌ଥାବାର୍ତ୍ତା ପାଇଁ ଡାକିବାରୁ ତିଳ ସେମାନଙ୍କ ସାଙ୍ଗରେ ଯାଇଥିବା ବେଳେ ଅବିନାଶ ଏକୁଟିଆ ବସିଥିଲେ । କିଛି ସମୟ ପରେ ତିଳ ଫେରି ଅବିନାଶଙ୍କୁ ପାଇ ନଥିଲେ । ଟ୍ରେନ ପହଞ୍ଚିଯିବାରୁ ତିଳ ଟ୍ରେନ ଚଢ଼ି ଗାଁକୁ ଚାଲି ଆସିଥିଲେ । ଉଭୟଙ୍କ ପାଖରେ ମୋବାଇଲ ଫୋନ ନ ଥିବାରୁ ଯୋଗାଯୋଗ ହୋଇପାରି ନଥିବା ତିଳ ଅବିନାଶଙ୍କ ମା’ଙ୍କୁ ଜଣାଇଥିଲେ । ଅବିନାଶ ନିଖୋଜ ହେବାର ୫ ଦିନ ବିତିଯାଇଥିଲେ ହେଁ ତାଙ୍କ ସମ୍ପର୍କରେ କୌଣସି ସନ୍ଧାନ ମିଳି ନ ଥିବା ତୁରେକେଲା ପୁଲିସ ସୂଚନା ଦେଇଛି ।

Leave A Reply

Your email address will not be published.