ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଯାଇଥିଲେ । ଏହି ପରିଦର୍ଶନ ସମୟରେ ଡାକ୍ତରଖାନାରେ ଥିବା ଶୌଚାଳୟ ଗୁଡିକ ସଫା ସୁତରା ନଥିବା ଦେଖି ଦାୟୀତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ଧ୍ୟାନ ଦେବା ପାଇଁ ତାଗିଦ କରିଥିଲେ । ଏହାପରେ ବିଧାୟକ ଦୁର୍ଗା ଇଣ୍ଡୋର ରୋଗୀମାନଙ୍କୁ ସାକ୍ଷାତ କରି ରାଉରକେଲା ସରକାରୀ ଡାକ୍ତରଖାନାରେ ମିଳୁଥିବା ସେବା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହି ସମୟରେ ଡାକ୍ତରଖାନାରେ ଅଧିକାଂଶ ଔଷଧ ମିଳୁନଥିବାରୁ ରୋଗୀମାନେ ଅଧିକାଂଶ ସମୟରେ ବାହାରୁ ଦୋକାନରୁ କିଣିବା ପାଇଁ ବାଧ୍ୟ ହେଉଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଏ ସମ୍ବନ୍ଧରେ ବିଧାୟକ ଦୁର୍ଗା ପରିଦର୍ଶନ ସମୟରେ ଉପସ୍ଥିତ ଥିବା କାର୍ଯ୍ୟରତ ଡାକ୍ତରଙ୍କ ସହିତ କଥା ହୋଇ ଔଷଧର ଅଭାବ ଦୂର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ବିଧାୟକ ଦୁର୍ଗା ତନ୍ତୀ ଆର୍ଜିଏଚ୍ ପରିସରରେ ଥିବା ଆହାର କେନ୍ଦ୍ରକୁ ଯାଇ ସେଠାରେ ଦିଆଯାଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଖାଦ୍ୟ ନେଉଥିବା ଲୋକଙ୍କୁ ସେଠାକାର ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହିତ ଆର୍ଜିଏଚ୍ ପାଇଁ ବିଧାୟକ ପ୍ରତିନିଧି ଅଜୟ କଂସାରୀ ମଧ୍ୟ ଉପସ୍ଥିତ ଥିଲେ ।