ବରଟୋଲି ଭାଗବତ ଅଗଣାର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାମ ନବମୀ ଅବସରରେ ବରଟୋଲି ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା ଠାରେ ଭାଗବତ ଅଗଣା ତାର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ କରିଛି । ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ ସୂତାର ଓ ଭାଗବତ ଅଗଣାର ସଭାପତି ସୁପ୍ରଭା ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ଚନ୍ଦ୍ରକାନ୍ତ ପରିଡାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଆଇଟିର ଏସ୍‌ଏଏସ୍‌ ଅଫିସର ନଳିନୀ ନିହାର ନାୟକ ଓ ମୁଖ୍ୟବକ୍ତା ଭାବେ ସେକ୍ଟର ୭ ଇସ୍ପାତ ନଗରୀ ଶାଖା ଦିବ୍ୟ ଜୀବନ ସଂଘର ଟ୍ରଷ୍ଟି ରାମକୃଷ୍ଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ବୀରମିତ୍ରପୁର ପ୍ରାକ୍ତନ ବିଧାୟକ ଶଙ୍କର ଓରାମ ଯୋଗଦେଇ ଆଧ୍ୟାତ୍ମିକ ଆଲୋଚନା କରିଥିଲେ । ଅତିଥି ଓ ମୁଖ୍ୟବକ୍ତା ସେମାନଙ୍କ ବକ୍ତବ୍ୟରେ ରାମ ନାମର ମହତ୍ତ୍ୱ, କାଳିଦାସଙ୍କ ସର୍ଜନା ଓ ଭାଗବତର ତତ୍ୱ ଉପରେ ଆଲୋଚନା କରିଥିଲେ । ଶ୍ରୀ ସୂତାର ସ୍ୱାଗତ ଭାଷଣ ରଖିଥିଲେ । ତିନିଦିନ ବ୍ୟାପୀ ହେବାକୁଥିବା ସନାତନ ଧର୍ମ ଓ ହିନ୍ଦୁ ସଂସ୍କୃତିରେ ଭାଗବତର ମହତ୍ତ୍ୱ ସମ୍ପର୍କରେ ଆଲୋଚନା ଚକ୍ର ରାମେଶ୍ୱର ବାଟିକାର ମୁଖ୍ୟ ଅକ୍ଷୟ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାଗବତ ପୋଥିଟି ସମସ୍ତଙ୍କ ଘରେ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ପୂଜା ହେଉଥିବା ବେଳେ ଏହାର ମହତ୍ତ୍ୱ ଆମେ ଉପଲବ୍ଧି କରିନଥା’ନ୍ତି । ଆମର ଲକ୍ଷ୍ୟ ଏ ଅଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକ ମହିଳା ଆବାଳ ବୃଦ୍ଧବନିତା, ପ୍ରତ୍ୟେକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇ ଆଧ୍ୟତ୍ମିକ ଭାବର ଏକ ନିରାମୟ ଚିନ୍ତା ଚେତନା ସୃଷ୍ଟି କରିବା ହେଉଛି ଭାଗବତ ଅଗଣାର ମୂଳ ଲକ୍ଷ୍ୟ । ଏହି ଅବସରରେ ବରଟୋଲି ଅଞ୍ଚଳର ବରିଷ୍ଠ ନାଗରିକ ନରେନ୍ଦ୍ର ନାଥ ମହାନ୍ତିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଧାକୃଷ୍ଣଙ୍କ ହୋଲି, ଶ୍ରୀରାମଙ୍କ ବନବାସ ଓ ଉତ୍କଳୀୟ ସଂସ୍କୃତି ପରମ୍ପରା ଉପରେ ନୃତ୍ୟ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିବେଣୀ, ରୀନା, ମାଳା, ତାପସୀ, ଲକ୍ଷ୍ମୀ, ନମିତା,ସସ୍ମିତା, ସୁପ୍ରଭା, ମୀନା, ସ୍ଵର୍ଣ୍ଣମୟୀ, ଅନିମା, ରବିନ୍ଦ୍ର, ରଞ୍ଜିତ, ଧନେଶ୍ଵର, ବିଜୟ, ଅଶୋକ, କରୁଣାକର, ସନ୍ୟାସୀ, ସମୀର, ସନ୍ତୋଷ, ଅଂଶୁମାନ, ସୁରେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.