ବିନା ଅଡିଟରେ ଚାଲିଛି ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା

ଭୁବନେଶ୍ଵର/ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଦ୍ୟୋଗ କିମ୍ବା ବୋର୍ଡ ସାଧାରଣତଃ ସରକାରୀ ଅର୍ଥର ବିନିଯୋଗରେ କାର୍ଯ୍ୟକରେ ଏବଂ ସରକାରଙ୍କ ପ୍ରତ୍ୟେକ ବିଭାଗ ଅନୁରୂପ ଅଡିଟ ପରିସର ଭୁକ୍ତ ହେବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା । ଏହାର ବାର୍ଷିକ ଆର୍ଥିକ ଅଡିଟ ବା ଷ୍ଟାଚୁଟାରୀ ଅଡିଟ୍ ନିୟମିତ ହୁଏ ନାହିଁ । କେବଳ ଏତିକି ନୁହେଁ, ବର୍ଷ ବର୍ଷ ଧରି ଏହି ଧାରା ଚାଲିଛି । ସରକାରୀ ଅର୍ଥର ଅଡିଟ ଆକାଉଣ୍ଟାଣ୍ଟ ଜେନେରାଲ ବା ଏଜି ଅଡିଟ ପରିସରରେ ଆସିବା କଥା ହେଲେ ଏହି ସଂସ୍ଥାରେ ଏହାର ନାମଗନ୍ଧ ନାହିଁ । ଆରଟିଆଇ ତଥ୍ୟ ଅନୁଯାୟୀ ସଂସ୍ଥାରେ ଏଜି ଅଡିଟର କୌଣସି ଉଲ୍ଲେଖ ନାହିଁ । ଏଜି ଅଡିଟ ବ୍ୟତିତ ରାଜ୍ୟ ସରକାରଙ୍କ ଅଡିଟରଙ୍କ ଦ୍ୱାରା ଏଫିସିଏନ୍ସି ଅଡିଟ ହେବା କଥା । କିନ୍ତୁ ନାମକୁ ମାତ୍ର ୧୯୯୨-୯୩ ଠାରୁ ୨୦୦୧-୦୨ ଆର୍ଥିକ ବର୍ଷ ପାଇଁ ୨୦୦୩-୦୪ ରେ ସରକାରୀ ଅଡିଟ ହୋଇଥିଲେ ବି ଏହାର ରିପୋର୍ଟ ସାର୍ବଜନୀନ କରାଯାଉନାହିଁ କିମ୍ବା ଏହି ଅଡିଟ ରିପୋର୍ଟ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏପରିକି ଆରଟିଆଇ ମାଧ୍ୟମରେ ଏହାର ରିପୋର୍ଟ ମଧ୍ୟ ଉପଲବ୍ଧ କରାଯାଇନାହିଁ । କୌଣସି ଏକ ଘରୋଇ କଂପାନୀ ଭଳି ଏହି ସଂସ୍ଥାର ଅଡିଟ ଘରୋଇ ଅଡିଟର ( ଚାଟାର୍ଡ ଆକାଉଣ୍ଟାଣ୍ଟ) ଦ୍ଵାରା କେବଳ ଆୟକର ଅଡିଟ୍ ଉଦ୍ଦେଶ୍ୟରେ କରାଯାଉଛି । ହାଉସିଂ ବୋର୍ଡର ନିୟମ ଅନୁସାରେ ପ୍ରତ୍ୟେକ ଆର୍ଥିକ ବର୍ଷରେ ବାର୍ଷିକ ଆୟ ବ୍ୟୟ ହିସାବ ହୋଇ ସରକାରଙ୍କ ଦ୍ଵାରା ନିଯୁକ୍ତ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଏହାର ଷ୍ଟାଚ୍ୟୁଟାରୀ ଅଡିଟ୍ କରିବା ବିଧେୟ । ବାର୍ଷିକ ହିସାବ ଓ ଷ୍ଟାଚୁଟାରୀ ଅଡିଟ ରିପୋର୍ଟ ବୋର୍ଡରେ ଉପସ୍ଥାପିତ ହୋଇ ଗୃହିତ ହେଲା ପରେ ଏହା ସରକାରଙ୍କ ପାଖକୁ ପ୍ରେରଣ କରାଯିବ । ସରକାର ଏହାକୁ ତର୍ଜମା କରି ଜନସାଧାରଣଙ୍କ ସୂଚନା ପାଇଁ ବିକ୍ରୟ ଉପଲବ୍ଧ ହେବ । କିନ୍ତୁ ଏକ ଆରଟିଆଇ ତଥ୍ୟ ଅନୁସାରେ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ହିସାବ ଓ ଅଡିଟ ୨୦୧୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କେବଳ ଘରୋଇ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ସଂପନ୍ନ ହୋଇଛି । ତାହା ପୁଣି ୬ ବର୍ଷ ପରେ ଅର୍ଥାତ୍ ଏହାକୁ ଚାଟାର୍ଡ ଆକାଉଣ୍ଟାଣ୍ଟ ୨୦୨୪ ରେ ଦସ୍ତଖତ କରି ରିପୋର୍ଟ ଦେଇଛନ୍ତି । ଆରଟିଆଇ ତଥ୍ୟ ଅନୁସାରେ ୨୦୧୮-୧୯ ଠାରୁ ୨୦୨୪-୨୫ ପର୍ଯ୍ୟନ୍ତ ବାର୍ଷିକ ହିସାବ ପ୍ରସ୍ତୁତ କରାଯାଇନାହିଁ ଓ ହିସାବ ନିରୀକ୍ଷକ ମଧ୍ୟ ନିଯୁକ୍ତି ହୋଇନାହିଁ । ଘରୋଇ ସଂସ୍ଥାମାନେ ମଧ୍ୟ ନିୟମିତ ଅଡିଟ କରିଥାନ୍ତି । ଆଶ୍ଚର୍ଯ୍ୟର ବିଷୟ ଯେ ଘରୋଇ ଅଡିଟରଙ୍କ (ଚାଟାର୍ଡ ଆକାଉଣ୍ଟାଣ୍ଟ) ଦ୍ୱାରା ସଂପନ୍ନ ଏହି ଅଡିଟରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ କିମ୍ବା ଅଧ୍ୟକ୍ଷଙ୍କ ଦସ୍ତଖତ ରହୁ ନାହିଁ ବରଂ ଆର୍ଥିକ ପରିଚାଳନା କରୁଥିବା ଅଧିକାରୀ ଏଫ.ଏ ଓ ସି.ଏ.ଓ ନିଜ ଖର୍ଚ୍ଚର ଅଡିଟ ନିଜ ସୁବିଧା ଅନୁଯାୟୀ କରି ନିଜେ ଏଥିରେ ଦସ୍ତଖତ କରି କାମ ସାରି ଦେଉଛନ୍ତି । ଅଡିଟରମାନେ ମଧ୍ୟ ଏ ପ୍ରକାର ଅକ୍ଷମଣୀୟ ଭୁଲ୍ କୁ ଜାଣି ଶୁଣି ରିପୋର୍ଟରେ ଉଲ୍ଲେଖ କରୁନାହାନ୍ତି । ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କ ଜାଣତରେ ହେଉଛି କି ସଲାସୁତରାରେ ହେଉଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି । ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗର ଆର୍ଥିକ ପରିଚାଳନାରେ ବର୍ଷ ବର୍ଷ ଧରି ଏପରି ବଡ ତ୍ରୁଟି ଛୋଟ କର୍ମଚାରୀ ନୁହେଁ ବରଂ ବଡ଼ ଅଧିକାରୀଙ୍କ ବିନା ପ୍ରଶୟରେ ସମ୍ଭବ ନୁହେଁ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ସଂସ୍ଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିଲେ ମଧ୍ୟ ମନ୍ତ୍ରୀ ଓ ସଚିବ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ତେଣୁ ହାଉସିଂ ବୋର୍ଡର ନିୟମ ଅନୁସାରେ ଏକ ସ୍ଵତନ୍ତ୍ର ଅଡିଟ କରାଇ ଦୁର୍ନୀତିର ପର୍ଦ୍ଦାଫାସ କରାଯାଉ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.