ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ଚତୁର୍ଥ ସନ୍ଧ୍ୟା

  • ମଞ୍ଚସ୍ଥ ହେଲା ଏକକ ନାଟକ ବନ୍ଦୀ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଚତୁର୍ଥ ସନ୍ଧ୍ୟାରେ ପୁରୀ ପିପିଲିର ରଙ୍ଗଲୋକ ଥିଏଟର ଅନୁଷ୍ଠାନ ତରଫରୁ ତୁଷାରକାନ୍ତ ପଟ୍ଟନାୟକଙ୍କ ରଚିତ ଓ ଦୁର୍ଯ୍ୟୋଧନ ସାହୁଙ୍କ ନିର୍ଦ୍ଦେଶନାରେ ଏକକ ନାଟକ ବନ୍ଦୀ ମଞ୍ଚସ୍ଥ ହୋଇଯାଇଛି । ସିଭିକ ସେଣ୍ଟର୍ ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ଆର୍‌ଏସ୍‌ପିର ସିଜିଏମ୍‌ ଏତୁଆ ଓରାମ, ନାଟ୍ୟ ସଂଗଠକ ଶରତ ଦାସ, ଏକତ୍ରର ସମ୍ପାଦକ ବିଜୟ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଅବସରରେ ନିର୍ଦ୍ଦେଶକ ତଥା ଅଭିନେତା ଦୁର୍ଯ୍ୟୋଧନ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ବନ୍ଦୀ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା ମାଆ ପେଟରୁ କେହି ଅପରାଧୀ ହେଇନଥାଏ । ପ୍ରକୃତି, ପରିବେଶ ପରିସ୍ଥିତି ମଣିଷକୁ କେତେବେଳେ କାହାକୁ ଅପରାଧୀ ସଜେଇ ଦିଏ । ସେମିତି ନାଟକର ନାୟକ ସୁରଜ ମହାନ୍ତି, କେଉଁ ପରିସ୍ଥିତିରେ ଅପରାଧି ସାଜି ଆଜି କାରାଗାରରେ ବନ୍ଦୀ । ହେଲେ କାହାପାଇଁ ? ନିଜେ ବଡ଼ ହେବାର ସ୍ୱପ୍ନ ପାଇଁ ନା ଜନ୍ମ କଲା ମାଆ ବାପାଙ୍କ ପାଇଁ ନା ସମାଜର ଭଦ୍ରମୁଖା ପିନ୍ଧା ଚାଚାଙ୍କ ପାଇଁ ନା ସରକାରୀ ନୀତି ନିୟମ ପାଇଁ ? କାହାପାଇଁ ? ଏମିତି ଅନେକ ଗୁଡ଼ିଏ ପ୍ରଶ୍ନକୁ ନେଇ ଗତିଶୀଳ ହୋଇଛି ବନ୍ଦୀର କାହାଣୀ । ନାଟକକୁ ତୁଷାରକାନ୍ତ ପଟ୍ଟନାୟକ ରଚନା କରିଥିଲାବେଳେ ନିର୍ଦ୍ଦେଶନା ଓ ଅଭିନୟ କରିଛନ୍ତି ଦୁର୍ଯ୍ୟୋଧନ ସାହୁ । ମଞ୍ଚରେ ଶିବ ବେହେରା, ଆଲୋକରେ ବିକାଶ ପ୍ରଧାନ ସଙ୍ଗୀତରେ ରାଜକୁମାର, ଗୀତରେ ବୀଣାପାଣି ରାୟ ଓ କଣ୍ଠରେ ମାରୁତି ପୁହାଣ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ନାଟକ ପ୍ରତି ସମର୍ପିତ ବ୍ୟକ୍ତିତ୍ଵ ଅମୂଲ୍ୟ କୁମାର ବିଶୋଇ, ଅଶୋକ କୁମାର ଦାସ, କଲ୍ୟାଣୀ ବାଗ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.